ବିହାରରେ ୧୧ ଇଞ୍ଜିନିୟର ନିଲମ୍ବିତ, ୧୭ ଦିନରେ ୧୨ଟି ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ

ବିହାରରେ ୧୭ ଦିନ ମଧ୍ୟରେ ୧୨ଟି ବ୍ରିଜ୍‌ ଭୁଶୁଡ଼ିବା ପରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କ୍ରମାଗତ ବ୍ରିଜ୍‌ ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିବା ପରେ ୧୧ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି । ଏହାସହିତ ରାଜ୍ୟ ସରକାର ନୂଆ ବ୍ରିଜ୍‌ଗୁଡ଼ିକର ପୁନଃନିର୍ମାଣର ମଧ୍ୟ ଆଦେଶ ଦେଇଛନ୍ତି ।

ରାଜ୍ୟ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚୈତନ୍ୟ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୯ଟି ବ୍ରିଜ୍‌ କ୍ଷୟକ୍ଷତି ହେବାର ସୂଚନା ମିଳିଛି । ସେଥିମଧ୍ୟରୁ ୬ଟି ବହୁତ ପୁରୁଣା ଏବଂ ଅନ୍ୟ ତିନୋଟି ନିର୍ମାଣାଧୀନ ଥିଲା । ପ୍ରଥମ ଦେଖାରୁ ଏଥିରେ ଇଞ୍ଜିନିୟର୍ ଏବଂ ଠିକାଦାରମାନେ ଜଡିତ ଥିବା ପରି ଲାଗୁଛି । ସେ କହିଛନ୍ତି ଯେ ଫ୍ଲାଇଙ୍ଗ ସ୍କ୍ଵାଡ୍‌ ନିଜର ରିପୋର୍ଟ ଦାଖଲ କରିଛି । ଇଞ୍ଜିନିୟରମାନେ ଏଥିପ୍ରତି ନା ଯତ୍ନବାନ ଥିଲେ ନା ତଦାରଖ କରୁଥିଲେ । ଏହି ଘଟଣାରେ ବିଭିନ୍ନ ପଦର ୧୧ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି, ନୂଆ ବ୍ରିଜ୍‌ର ନିର୍ମାଣ କରାଯିବ । ରାଜ୍ୟ ବ୍ରିଜ ନିର୍ମାଣ ନିଗମକୁ ଯଥାଶୀଘ୍ର ବ୍ରିଜ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ଅନୁରୋଧ କରାଯାଇଛି । ସମ୍ପୃକ୍ତ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଏହାର ସମସ୍ତ ଖର୍ଚ୍ଚ ବହନ କରିବ । ଏଥିରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।