ଚୀନ୍‌ରେ ବିନାଶର ତାଣ୍ଡବ ରଚିଲା ଟାଇଫୁନ୍ ‘ଗେମି’, ଘରେ ମାଟି ଧସି ୧୧ ଜଣଙ୍କ ମୃତ୍ୟୁ

ଚୀନରେ ପ୍ରବଳ ବର୍ଷା ପରେ ବନ୍ୟା ମାଡ଼ି ଆସିଛି । ଅନେକ ଅଞ୍ଚଳରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି । ରବିବାର ଦକ୍ଷିଣ-ପୂର୍ବ ଚୀନରେ ଏକ ଘରେ ମାଟି ଧସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଚୀନରେ ସାମୁଦ୍ରିକ ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ହେତୁ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଚାରିଆଡ଼େ କେବଳ ପାଣି ହିଁ ପାଣି । ଶନିବାର ସାଂଘାଇରେ ଏକ ଗଛ ପଡ଼ି ସ୍କୁଟରରେ ଯାଉଥିବା ଜଣେ ଡେଲିଭରି ବୟଙ୍କ ମୃତ୍ୟୁ ଘଟିଛି ।

ଚୀନରେ ଲ୍ୟାଣ୍ଡ୍‌ଫଲ୍‌ ପୂର୍ବରୁ ଟାଇଫୁନ୍ ‘ଗେମି’ ଫିଲିପାଇନ୍ସରେ ତାଣ୍ଡବ ରଚିଛି । ଏଠାରେ ପ୍ରାୟ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ତାଇୱାନ ଦ୍ୱୀପରେ ମଧ୍ୟ ଗେମି ତା’ର କରାଳ ରୂପ ଦେଖାଇଛି । ଏଠି ମୃତ୍ୟୁ ସଂଖ୍ୟା ବଢ଼ି ୧୦ରେ ପହଞ୍ଚିଛି ।

ରବିବାର ସକାଳ ପ୍ରାୟ ୮ଟାରେ ୟୁଏଲିନ ଗ୍ରାମରେ ଏକ ଘରେ ମାଟି ଧସି ପଡ଼ିବାରୁ ୧୧ ଜଣଙ୍କ ପ୍ରାଣହାନି ଘଟିଛି । ହୁନାନ ପ୍ରଦେଶର ହୋଙ୍ଗୟାଙ୍ଗ ସହରର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ପ୍ରବଳ ବର୍ଷା ହେତୁ ପାହାଡ଼ରୁ ଜଳ ପ୍ରବାହିତ ହୋଇ ଏହି ଭୂସ୍ଖଳନ ଘଟିଥିବା ରିପୋର୍ଟରେ କୁହାଯାଇଛି । ସାମୁଦ୍ରିକ ଝଡ଼ ପ୍ରଭାବରେ ହେଉଥିବା ବର୍ଷା ଶନିବାର ହୁନାନ ପ୍ରଦେଶର ଦକ୍ଷିଣ-ପୂର୍ବ ଭାଗରେ ଧ୍ୱଂସଲୀଳା ରଚିଛି ବୋଲି ଚୀନ୍ ପାଣିପାଗ ବିଭାଗ ସୂଚନା ଦେଇଛି ।