୨ ଦିନ ବର୍ଷାରେ ବେହୋଲ୍ ଦିଲ୍ଲୀ, ରାସ୍ତାଘାଟରେ ଉଛୁଳା ପାଣି ନେଲା ୧୧ ଜଣଙ୍କ ଜୀବନ
୨ ଦିନ ଲଗାଣ ବର୍ଷାରେ ବେହାଲ୍ ହୋଇଛି ରାଜଧାନୀ ଦିଲ୍ଲୀ । ବିଭିନ୍ନ ସ୍ଥାନରେ ବର୍ଷାଜନିତ ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଯାଇଛି । ଶନିବାର ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨ ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି । ଶୁକ୍ରବାର ସକାଳେ ଦିଲ୍ଲୀରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ୨୨୮.୧ ମିମି ବର୍ଷା ରେକର୍ଡ କରାଯାଇଛି, ୧୯୩୬ ମସିହା ପରେ ଏହା ହେଉଛି ଜୁନ୍ ମାସରେ ସର୍ବାଧିକ ବର୍ଷା ।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ଦିଲ୍ଲୀ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରିଛି । ଏଥିରେ ଆଗାମୀ ୨ ଦିନ ଦିଲ୍ଲୀରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଆଇଏମ୍ଡି ଅନୁସାରେ, ସହରର ପ୍ରାଥମିକ ପାଣିପାଗ କେନ୍ଦ୍ର ସଫଦରଗଞ୍ଜ ଅବ୍ଜରଭେଟୋରୀରେ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ମଧ୍ୟରେ ୮.୯ ମିମି ବର୍ଷା ରେକର୍ଡ କରାଯାଇଛି । ଲୋଧି ରୋଡ୍ ଅବ୍ଜରଭେଟୋରୀରେ ୧୨.୬ ମିମି ବର୍ଷା ରେକର୍ଡ କରାଯାଇଛି ।
ପୋଲିସ ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ଦିଲ୍ଲୀର ବାଦଲିଠାରେ ଅଣ୍ଡରପାସ୍ ପାଣିରେ ବୁଡ଼ିଯାଇ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଶନିବାର ପ୍ରବଳ ବର୍ଷା ଯୋଗୁ ଏହି ଅଣ୍ଡରପାସ୍ ଜଳମଗ୍ନ ହୋଇଯାଇଥିଲା । ଅପରାହ୍ନ ସାଢ଼େ ୨ଟା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି । ମେଟ୍ରୋ ନିକଟ ଅଣ୍ଡରପାସ୍ରେ ପାଖାପାଖି ୨.୫ରୁ ୩ ଫୁଟ୍ ଉଚ୍ଚର ପାଣି ଜମି ରହିଛି । ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ୨ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି ।
ସୂଚନା ରହିଛି, ଦିଲ୍ଲୀର ଓଖଲା ଅଣ୍ଡରପାସ୍ରେ ବି ବର୍ଷାଜଳ ଭରି ଯାଇଥିଲା । ଏହା ସଂସ୍ପର୍ଶରେ ଆସି ଏଠାରେ ୬୦ ବର୍ଷୀୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ସମ୍ବନ୍ଧିତ ଧାରାରେ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହି ଅଣ୍ଡରପାସ୍ରୁ ଏ ପର୍ଯ୍ୟନ୍ତ ବର୍ଷାଜଳ ନିଷ୍କାସିତ ହୋଇପାରି ନାହିଁ ।