୨୩ ଦିନରେ ନିଖୋଜ ୧୧ କଶ୍ମୀର ଯୁବକ, ବଡ଼ ଅଘଟଣକୁ ଦେଉଛି ସଙ୍କେତ

ଆତଙ୍କୀଙ୍କ ଆତଙ୍କରେ ଆତଙ୍କିତ ସାରା ବିଶ୍ବ । ଫେଲ୍ ମାରୁଛି ସୁରକ୍ଷାବଳଙ୍କ ଚେଷ୍ଟା । ସବୁ ପ୍ରକାର ପ୍ରୟାସ ପରେ ମଧ୍ୟ ଯୁବପିଢିଙ୍କୁ ନିଜ ରାସ୍ତାରେ ନେବାରେ ସଫଳ ହୋଇଯାଉଛନ୍ତି ଆତଙ୍କୀ ସଙ୍ଗଠନ । ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରୁ ନିଖୋଜ ହୋଇଛନ୍ତି ୧୧ ଜଣ ଯୁବକ । ଯାହା ଫଳରେ ସୁରକ୍ଷାକର୍ମୀଙ୍କୁ ଲାଗିଛି ଜୋରଦାର ଝଟ୍‌କା । ଲୋକସଭା ନିର୍ବାଚନ ପାଇଁ ଦକ୍ଷିଣ କଶ୍ମୀରରେ ରହିଛି କଡା ସୁରକ୍ଷା । ତଥାପି ଆତଙ୍କବାଦୀ ଏବଂ ତାଙ୍କର ଓଭରଗ୍ରାଉଣ୍ଡ ନିଜ କାର୍ଯ୍ଯକଳାପରୁ ନିବୃତ୍ତ ହେଉ ନାହାନ୍ତି ।

ସୂଚନା ଅନୁସାରେ, ନିଖୋଜ ହୋଇଥିବା ଯୁବକମାନଙ୍କ ମଧ୍ୟରୁ ସାତ ଜଣ ପୁଲୱାମା, ଜଣେ ଶୋପିଆ ଏବଂ ଅନ୍ଯ ତିନି ଜଣ କୁଲଗାମ ଅଞ୍ଚଳର । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ନିଖୋଜମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ବାପା ଅବସରପ୍ରାପ୍ତ ଭାରତୀୟ ସେନା କର୍ମଚାରୀ।

୨୦୧୬ ଜୁଲାଇରୁ ବିଭିନ୍ନ ଆତଙ୍କୀ ସଙ୍ଗଠନ କଶ୍ମୀରର ସ୍ଥାନୀୟ ଯୁବକଙ୍କୁ ଭର୍ତ୍ତି ଉପରେ ଜୋର୍ ଦେଉଛନ୍ତି । ଆଉ ଏଥିରେ ରୋକ୍ ଲଗାଇବା ପାଇଁ ପୋଲିସଠୁ ଆରମ୍ଭ କରି ସେନା ଏବଂ ଅନ୍ଯ ସୁରକ୍ଷା ଏଜେନ୍ସି ଲଗାତର ଅଭିଯାନ ଚଳାଇଛନ୍ତି । ଆଉ ଏମିତିରେ କେବଳ ଏପ୍ରିଲ୍ ମାସରେ ଜଣେ କି ଦୁଇ ଜଣ ନୁହେଁ ୧୧ ଜଣ ଯୁବକ ନିଖୋଜ ହେବା ଘଟଣା ସୁରକ୍ଷା ଏଜେନ୍ସିଙ୍କ ନିଦ ହଜାଇ ଦେଇଛି । ଯଦିଓ ସମସ୍ତ ନିଖୋଜ ଯୁବକ ଆତଙ୍କୀ ସଙ୍ଗଠନରେ ସାମିଲ୍ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ କିଛି ଯୁବକଙ୍କ ଫଟୋ ଅସ୍ତ୍ରଶସ୍ତ୍ର ସହ ସୋସିଆଲ୍ ମଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ପ୍ରକୃତ କଥା ହେଉଛି, ଚିହ୍ନା ଆତଙ୍କବାଦୀମାନେ ନିଜେ ଧରାପଡ଼ିବା ଭୟରେ ରଣକୌଶଳ ବଦଳାଇ ଦେଇଛନ୍ତି । ସ୍ଥାନୀୟ ଯୁବକଙ୍କୁ ମୋହରା ବନାଉଛନ୍ତି । ସେମାନଙ୍କୁ ମାନବ ବୋମା ସଜାଇ ପୁଲୱାମା ଆକ୍ରମଣ କରାଯାଇଥିଲା । ଏହି ଘଟଣାକୁ ଦୁଇ ମାସ ନପୂରୁଣୁ ପୁଣି ନିଖୋଜ ହୋଇଛନ୍ତି ୧୧ ଜଣ ଯୁବକ । ସେମାନଙ୍କୁ ଫୁସୁଲାଇ, ଲୋଭ ଦେଖାଇ, ଧର୍ମର ଦ୍ୱାହି ଦେଇ ଆତ୍ମଘାତୀ ବିସ୍ଫୋରଣ ଲାଗି ପ୍ରସ୍ତୁତ କରାଯାଉଛି । ଯାହା କୌଣସି ବଡ଼ ଅଘଟଣର ସଙ୍କେତ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.