ଷ୍ଟେରୋୟଡ୍‌ ଇଞ୍ଜେକ୍ସନ ନେଇ ଅଗ୍ନିବୀର ହେବାକୁ ଆସିଥିଲେ ପ୍ରାର୍ଥୀ; ସେନା ନିଯୁକ୍ତିରେ ଏମିତି ଧରାପଡ଼ିଲେ ୧୧୫ ଆଶାୟୀ

ସରକାରଙ୍କ ଅଗ୍ନିବୀର ଯୋଜନା ଅଧୀନରେ ସେନା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଦେଶର ବିଭିନ୍ନ ସହରରେ ଯୁବକମାନଙ୍କର ଫିଜିକାଲ ଫିଟ୍‌ନେସ ଟେଷ୍ଟ୍‍ କରାଯାଉଛି। ଇତି ମଧ୍ୟରେ ଏକ ଖବର ଆସିଛି କି, ଅଗ୍ନିବୀର ପରୀକ୍ଷା ପାସ୍‌ କରିବା ପାଇଁ ଯୁବପିଢ଼ି ଭୁଲ୍‌ ତରିକା ଆପଣାଉଛନ୍ତି। ୟୁପିର ଆଗ୍ରାରେ ନିଯୁକ୍ତି ପୂର୍ବରୁ ହୋଇଥିବା ସ୍କ୍ରିନିଂରେ ସେନା ହାତରେ କିଛି ଯୁବକ ଧରାପଡ଼ିଥିଲେ, ଯେଉଁମାନେ ଷ୍ଟେରୋୟଡ୍‌ ଇଞ୍ଜେକ୍ସନ ନେଇ ଦୌଡ଼ିବାକୁ ଆସିଥିଲେ।

ସେନା ନିଯୁକ୍ତି କରାଉଥିବା ଅଧିକାରୀମାନଙ୍କ ମୁତାବକ, ପ୍ରାରମ୍ଭିକ ସ୍କ୍ରିନିଂରେ ୧୧୫ ଜଣ ଆଶାୟୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ଷ୍ଟେରୋୟଡ୍‌ ନଚେତ୍‌ ଅନ୍ୟ କୌଣସି ଇଞ୍ଜେକ୍ସନର ଡୋଜ୍‌ ନେଇଥିଲେ। ସମସ୍ତ ଆଶାୟୀ ଅଲ୍ଲୀଗଡ଼ର ଖୈର ଏବଂ ଏଟାର ଅଲ୍ଲୀଗଞ୍ଜ ତହସିଲରୁ ଚାକିରି ପାଇଁ ଏଠାକୁ ଦୌଡ଼ିବାକୁ ଆସିଥିଲେ।

ଟେଷ୍ଟ ପୂର୍ବରୁ ଯେତେବେଳେ ମେଡିକାଲ ଟିମ୍‌ ଯୁବକମାନଙ୍କ ଯାଞ୍ଚ କରିଥିଲା, ତ ସେମାନଙ୍କ ଶରୀରରେ ଇଞ୍ଜେକ୍ସନ ନେବାର ଚିହ୍ନ ମିଳିଥିଲା। ସେନାର ମେଡିକାଲ ଟିମ୍‌ ତନ୍ନ ତନ୍ନ କରି ଯାଞ୍ଚ କରିବାରୁ ସେମାନେ ଇଞ୍ଜେକ୍ସନ ନେଇଥିବାର ଜଣାପଡ଼ିଥିଲା। ସେନା ଟିମ୍‌ ଯୁବକମାନଙ୍କୁ ଗୋଟିଏ ପଟକୁ ଆଣି ପଚରାଉଚରା ଆରମ୍ଭ କରି ଦେଇଛି।

ପ୍ରଥମେ ଯୁବକମାନେ ଟିମ୍‌କୁ ନାନା କଥା କହି ଭୁଅାଁ ବୁଲାଉଥିଲେ, ହେଲେ ଯେତେବେଳେ କଡ଼ାକଡ଼ି ଭାବେ ପଚରାଯାଇଥିଲା, ତ ସେମାନେ ସତ କହିବା ଆରମ୍ଭ କରିଥିଲେ। ଯୁବକମାନେ କହିଥିଲେ କି, ଦୌଡ଼ରେ ନିଜକୁ ଆଗରେ ରଖିବା ପାଇଁ ସେମାନେ ଷ୍ଟେରୋୟଡ୍‌ ଇଞ୍ଜେକ୍ସନ ନେଇଛନ୍ତି। ନିଯୁକ୍ତି ପ୍ରଭାରୀଙ୍କ ସୂଚନା ମୁତାବକ, ଷ୍ଟେରୋୟଡ୍‌ ନେଇଥିବା ଯୋଗୁ ସମସ୍ତ ଯୁବକଙ୍କୁ ର‍୍ୟାଲିରୁ ବାହାର କରି ଦିଆଯାଇଛି।

ଯୁବକମାନଙ୍କୁ ଚିହ୍ନଟ କରାଯାଇ ସାରିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଏହି ଯୁବକମାନେ ଭବିଷ୍ୟତରେ ଆଉ କୌଣସି ବି ନିଯୁକ୍ତି ର‍୍ୟାଲିରେ ଭାଗ ନେଇ ପାରିବେ ନାହିଁ। ସୂଚନାଥାଉ କି, କରୋନା ମହାମାରୀ କାରଣରୁ ଏକ ଲମ୍ବା ବ୍ୟବଧାନ ପରେ ସେନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏମିତିରେ ମାସ ମାସ ଧରି ପ୍ରସ୍ତୁତି କରିଥିବା ଯୁବଗୋଷ୍ଠୀ ଏହି ମଉକାକୁ କୌଣସିମତେ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। କିନ୍ତୁ ଚାକିରି ପାଇଁ ସେମାନେ ଭୁଲ୍‌ ରାସ୍ତା ଆପଣାଇ ନା କେବଳ ନିଜ ଭବିଷ୍ୟତକୁ ବର୍ବାଦ କରୁଛନ୍ତି, ବରଂ ନିଜ ଶରୀର ସହ ମଧ୍ୟ ଖେଳୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.