ରୁଷ୍ ସେନା ପାଇଁ ୟୁକ୍ରେନ ବିରୋଧରେ ଲଢ଼ୁଥିବା ୧୨ ଭାରତୀୟ ମୃତ, ୧୬ ନିଖୋଜ: କେନ୍ଦ୍ର

ରୁଷ୍ ସେନା ପାଇଁ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ୁଥିବା ୧୨ ଭାରତୀୟଙ୍କ ମୃତ୍ୟୁ ହୋଇଛି । ୧୬ ଜଣ ନିଖୋଜ ଅଛନ୍ତି । ଏହା ବିଷୟରେ ଶୁକ୍ରବାର ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । କେନ୍ଦ୍ର ସରକାର କହିଛନ୍ତି, ରୁଷୀୟ ସେନାରେ କାର୍ଯ୍ୟ କରୁଥିବା ୧୬ ଜଣ ଭାରତୀୟ ନିଖୋଜ ଥିବା ନେଇ ରୁଷ୍ ଭାରତକୁ ଜଣାଇଛି ।

ମନ୍ତ୍ରଣାଳୟ କହିଛି ଯେ ରୁଷୀୟ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କୁ ପଠାଇବା ପାଇଁ ଅନୁରୋଧ କରାଯାଇଛି । ରୁଷ୍-ୟୁକ୍ରେନ ଯୁଦ୍ଧରେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି ।

ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜାୟସୱାଲ କହିଛନ୍ତି, ଏଠାରେ ୧୨୬ଟି ମାମଲା ରହିଛି (ରୁଷ୍ ସେନାରେ ଭାରତୀୟ ନାଗରିକ କାର୍ଯ୍ୟ କରିବା) । ୧୨୬ ଜଣଙ୍କ ମଧ୍ୟରୁ ୯୬ ଜଣ ଭାରତ ଫେରିଛନ୍ତି । ରୁଷ୍ ସଶସ୍ତ୍ର ବାହିନୀରୁ ସେମାନଙ୍କୁ ମୁକ୍ତ କରି ଦିଆଯାଇଛି ।

ତେବେ ରୁଷ ସେନାରେ ଏବେ ବି ୧୮ ଜଣ ଭାରତୀୟ ନାଗରିକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କର ଏ ପର୍ଯ୍ୟନ୍ତ କୌଣସି ଖୋଜ୍ ଖବର ମିଳୁନାହିଁ । ରୁଷ୍ ସେମାନଙ୍କୁ ନିଖୋଜ ଶ୍ରେଣୀରେ ରଖିଛି ବୋଲି ରଣଧୀର ଜାୟସୱାଲ କହିଛନ୍ତି ।

କହି ରଖୁଛୁ, ନିକଟରେ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କେରଳର ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିଲା । କେରଳ ତ୍ରିଶୂରର ବାସିନ୍ଦା ୩୨ ବର୍ଷୀୟ ବିନିଲ ବାବୁ ରୁଷୀୟ ସେନାରେ ନିଯୁକ୍ତ ହୋଇଥିଲେ ଏବଂ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ୁଥିଲେ ।

ବୈଦେଶିକ ମନ୍ତ୍ରଣାଳୟ ରୁଷ୍ ସରକାରଙ୍କ ପାଖରେ ଏହି ମାମଲା ଉଠାଇଥିଲା । ମନ୍ତ୍ରଣାଳୟ କହିଥିଲା ଯେ ରୁଷ ସେନାରେ ଭର୍ତ୍ତି ଦେଶର ଅନ୍ୟ ଲୋକଙ୍କୁ ମଧ୍ୟ ଶୀଘ୍ର ଭାରତ ପଠାଯାଉ ।

You might also like