ଛତିଶଗଡ଼ର ବିଜାପୁରରେ ବଡ଼ ଏନକାଉଣ୍ଟର, ୩୧ ନକ୍ସଲ ନିହତ, ୨ ଯବାନ ସହିଦ

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରବିବାର ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି । ଏଥିରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସୁରକ୍ଷା ବାହିନୀର ୪ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ୨ ଜଣ ଆଖି ବୁଜିଥିଲେ । ବାକି ଦୁଇ ଜଣ ଯବାନ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏକ ଉଚ୍ଚତର କେନ୍ଦ୍ରକୁ ପଠାଯାଇଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ବିଜାପୁର ଏବଂ ନାରାୟଣପୁର ସଂଲଗ୍ନ ମହାରାଷ୍ଟ୍ର ସୀମାନ୍ତ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଜଙ୍ଗଲରେ ରବିବାର ସକାଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ସମୟରେ ଯବାନମାନଙ୍କର ଏକ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ଥିଲେ । ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ବସ୍ତର ପୋଲିସ କହିଛି ।
ପୋଲିସ ଅନୁସାରେ, ନିହତ ନକ୍ସଲଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ । ଏନକାଉଣ୍ଟର ସ୍ଥଳରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି । ଛତିଶଗଡ଼ରେ ସୁରକ୍ଷା ବାହିନୀ କ୍ରମାଗତ ଭାବେ ନକ୍ସଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି । ବିଜାପୁର ଡିଆରଜି, ଏସଟିଏଫ୍, ସି-୬୦ର ଯବାନମାନେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ।
ଫେବୃୟାରୀ ୧ରେ ମଧ୍ୟ ବିଜାପୁରର ଗଙ୍ଗାଲୁର୍ ଅଞ୍ଚଳରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୮ ଜଣ ନକ୍ସଲ ନିହତ ହୋଇଥିଲେ ।
ବିଜାପୁରର ତୋଡ଼କା ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ ୮ରୁ ଅଧିକ ନକ୍ସଲ ନିହତ ହୋଇଥିଲେ । STF, DRG ଏବଂ CRPF ଯବାନଙ୍କ କମ୍ବିଂ ଅପରେସନ ବେଳେ ପୋଲିସକୁ ବଡ଼ ସଫଳତା ମିଳିଥିଲା ।
ଗଙ୍ଗାଲୁର୍ ଥାନା ଅଧୀନ ତୋଡ଼କା ଜଙ୍ଗଲରେ ପଶ୍ଚିମ ବସ୍ତର ନକ୍ସଲ ସଙ୍ଗଠନ ଏକ ବଡ଼ ଧରଣର କ୍ୟାମ୍ପ୍ କରିଥିଲା । ଏଠାରେ ବ୍ୟାପକ ହିଂସାକାଣ୍ଡ ଘଟାଇବା ପାଇଁ ନକ୍ସଲମାନେ ଯୋଜନା କରିଥିଲେ । ଗୁଇନ୍ଦା ସୂଚନା ପାଇ ସୁରକ୍ଷା ବାହିନୀ ଅପରେସନ ଆରମ୍ଭ କରିଥିଲା । ସେପଟେ ନକ୍ସଲମାନେ ସୁରକ୍ଷା ବାହିନୀ ଆସିବା ଜାଣି ପୋଲିସ ଉପରକୁ ଅତର୍କିତ ଫାୟାରିଂ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲା ସୁରକ୍ଷା ବାହିନୀ । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ମିଳିଲା ପରିଚୟ, ଜଣେ ଓଡ଼ିଆ ଥିବା ସୂଚନା