ସୋସିଆଲ ମିଡିଆରେ ମଝିରେ ମଝିରେ ଅଜବ ପ୍ରକାର ଟ୍ରେଣ୍ଡ ଚାଲିଥାଏ, ଯାହାକୁ ବହୁ ସଂଖ୍ୟାରେ ଲୋକେ ଫଲୋ କରନ୍ତି । ଇଂଲଣ୍ଡରେ ସୋସିଆଲ ମିଡିଆ ଚକ୍କରରେ ଜଣେ ୧୨ ବର୍ଷ ବାଳକ ଡିଓଡୋରାଣ୍ଟ କେନ୍ ଇନ୍ହେଲ କରି ନେଇଥିଲେ । ଏହାପରେ ତାଙ୍କୁ କାର୍ଡିଆକ୍ ଆରେଷ୍ଟ ଆସିଥିଲା ଏବଂ ସେ କୋମାକୁ ଚାଲି ଯାଇଥିଲେ ।
ଇଂଲଣ୍ଡର ଡୋନ୍କେଷ୍ଟରରେ ରହୁଥିବା ଜଣେ ବାଳକ ସୋସିଆଲ ମିଡିଆରେ ‘କ୍ରୋମିଂ ଟ୍ରେଣ୍ଡ’କୁ ଫଲୋ କରିବା ପାଇଁ ଡିଓଡୋରାଣ୍ଟର ଏକ କେନ୍କୁ ଇନ୍ହେଲ କରି ନେଇଥିଲେ । ଏହାପରେ ତାଙ୍କ ମା’ ତାଙ୍କୁ ତଳେ ପଡ଼ିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ସିପିଆର୍ ଦିଆଯିବା ପରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ କାର୍ଡିଆକ୍ ଆରେଷ୍ଟ ଆସିଥିବା କହିଥିଲେ ।
କ୍ରୋମିଂ ହେଉଛି ଏକ ପ୍ରକାର ନିଶା, ଯେଉଁଥିରେ ଲୋକମାନେ ପେଟ୍ରୋଲ, ନେଲପଲିସ୍ ରିମୁଭର, ହେୟାର ସ୍ପ୍ରେ, ଅଠା ଏବଂ ଏଥିରୁ ବାହାରୁଥିବା ବିଷାକ୍ତ ଧୂଆଁକୁ ଇନ୍ହେଲ କରନ୍ତି ।
୧୨ ବର୍ଷର ବାଳକ ଟିକ୍ ଟକ୍ରେ ‘କ୍ରୋମିଂ ଚ୍ୟାଲେଞ୍ଜ’ ନାମକ ଟାସ୍କ ପୂରା କରିବା ପରେ ହୃଦ୍ଘାତର ଶିକାର ହୋଇଥିଲେ । ସେ ନିଜ ଘରେ ହିଁ ଏହି ଚ୍ୟାଲେଞ୍ଜକୁ ପୂରା କରିବାକୁ ଚେଷ୍ଟା କରିଥିଲେ ।
ଅନ୍ତର୍ଜାତୀୟ ନ୍ୟୁଜ୍ ଆଉଟଲେଟ ‘ମେଟ୍ରୋ’ରେ ପ୍ରକାଶିତ ରିପୋର୍ଟ ମୁତାବକ, ଯେଉଁ ସମୟରେ ବାଳକଙ୍କୁ ହୃଦ୍ଘାତ ଆସିଥିଲା, ତାଙ୍କ ମା’ ସବୁଠୁ ସାନ ସନ୍ତାନକୁ ସ୍ତନ୍ୟପାନ କରାଉଥିଲେ । ସେହି ସମୟରେ ଜୋର୍ଦାର ଶବ୍ଦ ସେ ଶୁଣିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ତଳ ମହଲା ଆଡକୁ ଦୌଡ଼ି ଯାଇଥିଲେ । ସେଠାରେ ସେ ପୁଅକୁ ରୋଷେଇ ଘରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ସେ ୮ ଦିନ ରହିଥିଲେ । ୮ ଦିନ ମଧ୍ୟରେ ବାଳକ ଜଣକ ସୁସ୍ଥ ହୋଇ ବର୍ତ୍ତମାନ ଡିସଚାର୍ଜ ହୋଇଛନ୍ତି ।