ମୋ ପୁଅ ପଡିଯାଇଛି ବୋଲି ସ୍କୁଲରୁ ଫୋନ ଆସିଥିଲା, ହେଲେ ହସପିଟାଲରେ ତାର ମୃତଦେହ ଦେଖିବାକୁ ଦେଲେ
ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଏକ ପ୍ରାଇଭେଟ ସ୍କୁଲରେ ୧୨ ବର୍ଷର ଛାତ୍ରର ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ୬ଷ୍ଠ ଶ୍ରେଣୀରେ ପଢୁଥିଲେ । ପିଲାର ମୃତ୍ୟୁ ହୃଦଘାତ ହୋଇଥିବା ପୋଲିସ ଅନୁମାନ କରୁଥିବା ବେଳେ ପରିବାର ଲୋକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି କି, ମୃତ ପିଲାକୁ ତା ସହିତ ପଢୁଥିବା ଆଉ ଜଣେ ପିଲା ମାରପିଟ୍ କରିଥିଲା ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ମୃତ ପିଲାର ବାପା ସକାଳେ କାମକୁ ଯିବା ସମୟରେ ପୁଅକୁ ସ୍କୁଲରେ ଛାଡିଥିଲେ । ସ୍କୁଲରୁ ୯.୪୫ରେ ଫୋନ ଆସିଥିଲା । ପିଲାକୁ ଆଘାତ ଲାଗିଛି ତାକୁ ହସପିଟାଲକୁ ପଠାଯାଇଛି । ପିଲାର ବାପା ହସପିଟାଲରେ ପହଞ୍ଚିବା ବେଳକୁ ପିଲାର ମୃତ୍ୟୁ ହୋଇସାରିଥିଲା ।
ବାପା ସାଗର କହିଛନ୍ତି, ପିଲାକୁ ସ୍କୁଲ ଛାଡିବା ସମୟରେ ସେ ସଂପୂର୍ଣ୍ଣ ସୁସ୍ଥ ଥିଲା । ପୂର୍ବରୁ କେବେ ବି ଏଭଳି ପରିସ୍ଥିତି ଆସିନାହିଁ । ସେ ଭଲ ଫୁଟବଲ ଖେଳାଳି ଥିଲା । ଇଣ୍ଟର ସ୍କୁଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ଅନେକ ମେଡାଲ ଜିତିଥିଲା । ତେବେ ପିଲାଟି ଅନ୍ୟ ଏକ ପିଲା ସହିତ ଝଗଡା ଲାଗିଥିଲା । ଏହି ସମୟରେ ପ୍ରିନ୍ସ ତଳେ ପଡିଯାଇଥିଲା । ଏହାପରେ ସ୍କୁଲ ଶିକ୍ଷକ ତାଙ୍କୁ ହସପିଟାଲ ନେଇଯାଇଥିଲେ । ପ୍ରଥମେ ଏକ ହସପିଟାଲକୁ ନିଆଯାଇଥିଲା ପରେ ଫୋର୍ଟିସ ହସପିଟାଲକୁ ରେଫର କରାଯାଇଥିଲା ।
ପୋଲିସକୁ ସକାଳ ୧୦.୧୫ ରେ ବସନ୍ତକୁଞ୍ଜ ସ୍ଥିତ ଫୋର୍ଟିସ ହସପିଟାଲକୁ ପିଲାଟି ମୃତ ଅବସ୍ଥା ଅଣାଯାଇଥିଲା ବୋଲି ଖବର ମିଳିଥିଲା । ତେବେ ଶବ ବ୍ୟବଚ୍ଛେଦରୁ ଜଣାପଡିଲା କି, ଶରୀରରେ କୌଣସି ପ୍ରକାରର ଆଘାତ ଚିହ୍ନ ନାହିଁ । କିନ୍ତୁ ମୁହଁରେ ଫେଣ ବାହାରୁଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଏହି ମାମଲାରେ ସ୍କୁଲ ଛାତ୍ର ଏବଂ ଶିକ୍ଷକଙ୍କୁ ପଚରାଉଚରା କରୁଛି । ପଚରାଉଚରା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।