ହିମାଚଳ: ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ୧୩ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ହିମାଚଳର କୁଲୁ-ମନାଲୀ ଓ ଲାହୌଲ-ସ୍ପିତିରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଏଠାରେ ଭୟଙ୍କର ବିପର୍ଯ୍ୟୟ ଆଣିଛି ବାଦଲ ଫଟା ବର୍ଷା । ଅନେକ ଘର, ଦୋକାନ, କ୍ଷେତବାଡ଼ି ଛାରଖାର ହୋଇଯାଇଛି । ହିମାଚଳ ପ୍ରଦେଶର ଲୋକଙ୍କ ଉପରେ ପ୍ରକୃତି ଦାଉ ସାଜିଛି ।

ଜୁଲାଇ ୩୧ରେ ରାଜ୍ୟରେ ବାଦଲ ଫଟା ବର୍ଷା ଏବଂ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଥିଲା । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ଥିବା କୁହାଯାଉଛି । ଗତକାଲି ମଣ୍ଡି ଓ ଶିମ୍‌ଲା ଜିଲ୍ଲାରେ ୪ଟି ମୃତଦେହ ମିଳିଛି । ୩୧ ତାରିଖ ରାତିରେ କୁଲୁର ନିରମଣ୍ଡ, ସୈଞ୍ଜ, ମଲାଣା, ମଣ୍ଡି ଜିଲ୍ଲାର ପଧର ଓ ଶିମ୍‌ଲାର ରାମପୁରରେ ବାଦଲ ଫଟା ବର୍ଷା ବିନାଶର ତାଣ୍ଡବ ରଚିଥିଲା ।

ଅଧିକାରୀମାନଙ୍କ ସୂଚନା ମୁତାବକ, ମଣ୍ଡି ଜିଲ୍ଲାର ପଧରରେ ରାଜଭାନ ଗାଁର ସୋନମ୍‌ ଓ ମାନବୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ରାମପୁରରେ ସତଲୁଜ ନଦୀକୂଳରୁ ଆଉ ଦୁଇ ଜଣଙ୍କ ମୃତଦେହ ମିଳିଥିଲା । କିନ୍ତୁ ମୃତଦେହ ଦ୍ୱୟକୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରି ନ ଥିବା ଶିମ୍‌ଲା ଏସ୍‌ପି ସଞ୍ଜୀବ କୁମାର ଗାନ୍ଧୀ କହିଛନ୍ତି ।

ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ବ୍ୟାପକ ଭାବରେ ଚାଲିଛି । ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାର ପାଇଁ ଜେସିବି ମେଶିନ ବ୍ୟବହାର କରାଯାଉଛି । ସନ୍ଧାନୀ କୁକୁର, ଡ୍ରୋନ୍‌ ଏବଂ ଅନ୍ୟାନ୍ୟ ଉପକରଣ ଜରିଆରେ ସର୍ଚ୍ଚ ଅଭିଯାନ ଜାରି ରହିଛି । ସ୍ଥାନୀୟ ଲୋକଙ୍କ କହିବା ହେଲା, ଶିମ୍‌ଲା ଏବଂ କୁଲୁର ସୀମାବର୍ତ୍ତୀ ୩ଟି ଗାଁ ସମେଜ, ଧାରା ସରଦା ଓ କୁଶଓ୍ଵାରେ ବିପର୍ଯ୍ୟୟ ପରଠାରୁ ବିଦ୍ୟୁତ୍‌ ସରବରାହ ଠପ୍‌ ହୋଇପଡ଼ିଛି । ଉଦ୍ଧାର କାର୍ଯ୍ୟରେ ସେନା, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ଆଇଟିବିପି, ସିଆଇଏସ୍‌ଏଫ୍‌, ହିମାଚଳ ପ୍ରଦେଶ ପୋଲିସ ଏବଂ ହୋମ୍‌ଗାର୍ଡ ଟିମ୍‌ର ୪୧୦ ଜଣ କର୍ମୀ ନିୟୋଜିତ ଅଛନ୍ତି ।

ସେପଟେ ଆଇଏମ୍‌ଡି ହିମାଚଳ ପ୍ରଦେଶରେ ଆସନ୍ତା ୬ ଦିନ ପ୍ରବଳ ବର୍ଷାର ଆଲର୍ଟ ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.