କେଦାରନାଥ ଧାମରେ ଫସିଛନ୍ତି ୨୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ । ସେମାନଙ୍କୁ ଲିଞ୍ଚୋଲିରୁ ଭୀମବଲି ପର୍ଯ୍ୟନ୍ତ ସୁରକ୍ଷିତ ଆଣିବା ପାଇଁ NDRFର ୬ଟି ଟିମ୍ ଯାଇଛି । ଏହି ଯାତ୍ରୀମାନଙ୍କୁ ଏୟାରଲିଫ୍ଟ କରି ସୋନପ୍ରୟାଗ ଅଣାଯିବ । ଏଥିପାଇଁ ସେନାର ଏମ୍ଆଇ-୧୭ ଏବଂ ଚିନୁକ ହେଲିକପ୍ଟରକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସୋମବାର କେଦାର ଘାଟିର ପାଗ ସଫା ହେବା ପରେ ଏମ୍ଆଇ ଏବଂ ଚିନୁକ ସହାୟତାରେ ଏୟାରଲିଫ୍ଟ ଆରମ୍ଭ ହୋଇଯାଇଛି ।
ଏମ୍ଆଇ-୧୭ ଚାରିଧାମ ହେଲିପ୍ୟାଡ୍ରେ ଯାତ୍ରୀମାନଙ୍କୁ ଅବତରଣ କରୁଥିବା ବେଳେ ଚିନୁକ ଗୌଚର ଏୟାରଷ୍ଟ୍ରିପ୍ରେ ଯାତ୍ରୀଙ୍କୁ ଅବତରଣ କରିବ । ସକାଳ ୯ଟା ସୁଦ୍ଧା ୧୩୩ ଜଣ ଯାତ୍ରୀଙ୍କୁ କେଦାରନାଥରୁ ଏମ୍ଆଇ, ଚିନୁକ ଏବଂ ଅନ୍ୟ ଛୋଟ ହେଲିକପ୍ଟର ଯୋଗେ ସୁରକ୍ଷିତ ଭାବେ ଏୟାରଲିଫ୍ଟ କରାଯାଇଛି । ସମସ୍ତଙ୍କୁ ବାହାର କରାଯିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିବ ।
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୬ ଜଣ ଆହତ ହୋଇଛନ୍ତି । ପ୍ରବଳ ବର୍ଷାରେ ରାସ୍ତା ଧୋଇଯିବା ପରେ କେଦାରନାଥ ଯାତ୍ରାକୁ ବନ୍ଦ କରି ଦିଆଯାଇଛି । ଭୀମବଲି ଓ ରାମବାଡା ମଧ୍ୟରେ ପ୍ରାୟ ୨୦ରୁ ୩୦ ମିଟର ରାସ୍ତା ଧୋଇ ହୋଇଯାଇଛି । ସୋନପ୍ରାୟାଗ ନିକଟରେ ୧୦୦ ମିଟର ରାସ୍ତା ବନ୍ୟାରେ ଧୋଇଯାଇଛି ।
କେଦାରନାଥ ଦର୍ଶନ ନିମନ୍ତେ ରୁଦ୍ରପ୍ରୟାଗରେ ପହଞ୍ଚିଥିବା ତୀର୍ଥଯାତ୍ରୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଡ୍ଭାଇଜରୀ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଯେଉଁଠି ବି ସେମାନେ ଅଛନ୍ତି, ସେଠି ସୁରକ୍ଷିତ ରୁହନ୍ତୁ ଏବଂ ନିଜ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖିନ୍ତୁ ।