ନୋଏଡାରେ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରୁ ମିଳିଲା ୧୪ଟି ମୃତଦେହ, ଲୁ’ ଓ ହିଟ୍ ଷ୍ଟ୍ରୋକ୍ରେ ମୃତ୍ୟୁ ଆଶଙ୍କା

ଦିଲ୍ଲୀ ନିକଟସ୍ଥ ନୋଏଡାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ୧୪ ଜଣଙ୍କ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି । ଲୁ’ ଏବଂ ହିଟ୍ ଷ୍ଟ୍ରୋକ୍ ଯୋଗୁ ଏ ସମସ୍ତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ସେପଟେ ଅତ୍ୟଧିକ ଗରମ ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କାରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ।
ସୂଚନାଯୋଗ୍ୟ ଯେ ଏହି ସମୟରେ ପୂରା ଉତ୍ତର ଭାରତରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅତ୍ୟଧିକ ଗରମ ହେତୁ ଲୁ’ ଏବଂ ହିଟ୍ ଷ୍ଟ୍ରୋକ୍ ମଧ୍ୟ ବୃଦ୍ଧି ପାଇଛି । ନୋଏଡାରେ ମଙ୍ଗଳବାର ବିଭିନ୍ନ ସ୍ଥାନରେ ସନ୍ଦେହଜନକ ସ୍ଥିତିରେ ୧୪ ଜଣଙ୍କ ପ୍ରାଣହାନି ଘଟିଛି । କିଛି ମୃତକଙ୍କୁ ପୋଲିସ ଏବଂ ଆଉ କିଛି ମୃତକଙ୍କୁ ପରିବାର ଲୋକେ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ ।
ତେବେ ମୃତକମାନଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ । ତେଣୁ ଏ ସମସ୍ତଙ୍କ ମୃତ୍ୟୁ ଲୁ’ ଏବଂ ହିଟ୍ ଷ୍ଟ୍ରୋକ୍ କାରଣରୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।
କହି ରଖୁଛୁ ଯେ ଉତ୍ତର ଭାରତରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଦିଲ୍ଲୀ । ବହୁ ଲୋକ ଅଂଶୁଘାତର ଶିକାର ହେଉଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀ ରାମମନୋହର ଲୋହିଆ ହସ୍ପିଟାଲରେ ୫ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଛି । ୧୨ ଜଣ ଲାଇଫ୍ ସପୋର୍ଟରେ ଅଛନ୍ତି ।
ସେପଟେ ରୋଗୀଙ୍କୁ ବିଳମ୍ବରେ ମେଡିକାଲକୁ ଆଣିଲେ ଗୋଟିଏ ପରେ ଗୋଟିଏ ଅର୍ଗାନ ଫେଲ ହୋଇ ଯାଉଥିବା କହିଛନ୍ତି ଡାକ୍ତର । ଦିଲ୍ଲୀ ସମେତ ପୂରା ଉତ୍ତର ଭାରତ ଜଳୁଛି । ଦିଲ୍ଲୀରେ ଉତ୍କଟ ଜଳାଭାବ ସାଙ୍ଗକୁ ଅସହ୍ୟ ତାତି ପରିସ୍ଥିତିକୁ ଅଣାୟତ୍ତ କରିଛି ।
ଦିଲ୍ଲୀ ଏନସିଆର, ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ, ବିହାର ପାଇଁ ଗତକାଲି ରେଡ୍ ଆଲର୍ଟ ଜାରି କରିଥିଲା ଆଇଏମଡି । ଆଜି ପାଇଁ ଅରେଞ୍ଜ ଆଲର୍ଟ ରହିଛି । ଅନ୍ୟପଟେ ପଶ୍ଚିମ ଉତ୍ତର ପ୍ରଦେଶ ପାଇଁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଜାରି ହୋଇଛି ରେଡ୍ ଆଲର୍ଟ ।