ମାସକ ମଧ୍ୟରେ ଦିଲ୍ଲୀ ଆଶାକିରଣ ଗୃହର ୧୪ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ, ଆପ୍ ସରକାରଙ୍କୁ ଦାୟୀ କଲା ବିଜେପି ଓ କଂଗ୍ରେସ
ନୂଆଦିଲ୍ଲୀ : ଦିଲ୍ଲୀର ଆଶାକିରଣ ଆଶ୍ରୟ ଗୃହର ୧୪ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ । ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ମାନସିକ ଅନଗ୍ରସରଙ୍କ ଏହି ଆଶ୍ରୟ ଗୃହରେ ଗତ ଏକ ମାସ ମଧ୍ୟରେ ୧୪ ଜଣ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କୁଷୋଷଣ ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି ।
ଜାତୀୟ ମହିଳା କମିଶନର ସଦସ୍ୟମାନେ ଆଶ୍ରୟ ଗୃହ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛନ୍ତି । ଆଶା କିରଣ ଆଶ୍ରୟ ଗୃହରେ ୨୫୦ ଜଣ ଅନ୍ତେବାସୀ ରହିବାର କ୍ଷମତା ଥିବା ବେଳେ ଏଠାରେ ୪୫୦ ଜଣ ଅନ୍ତେବାସୀ ରହୁଥିଲେ । ସେମାନଙ୍କୁ ଉପଯୁକ୍ତ ଖାଦ୍ୟ, ପାଣି ଓ ଔଷଧ ମିଳୁନଥିଲା । ଆଶ୍ରୟ ଗୃହକୁ ଯୋଗାଇ ଦିଆଯାଉଥିବା ପ୍ରଦୂଷିତ ପାଣି ପାଇଁ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀଙ୍କୁ ଦାୟୀ କରିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ।
ସାମାଜିକ ଗଣମାଧ୍ୟମ X ରେ ଏ ସମ୍ପର୍କରେ ପୋଷ୍ଟ କରି ସେ ଏହି ଅଭିଯୋଗ କରିଥିବା ବେଳେ ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ରାଜସ୍ୱ ମନ୍ତ୍ରୀ ଆତିଶୀ । ୪୮ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆତିଶୀ । ସେପଟେ ଏହି ଘଟଣାକୁ ନେଇ ସରଗରମ ହୋଇଛି ରାଜନୀତି ।
ଘଟଣାକୁ ଦୁଃଖଦାୟକ ବୋଲି କହିବା ସହ ଆମ ଆଦମୀ ପାର୍ଟିକୁ ଏଥିପାଇଁ ଦାୟୀ କରିଛନ୍ତି ବିଜେପି ନେତା ମନୋଜ ତିୱାରୀ । କଂଗ୍ରେସ ମଧ୍ୟ ଏହି ଘଟଣାରେ ଦିଲ୍ଲୀର ଆପ୍ ସରକାରଙ୍କୁ ଦାୟୀ କରିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଦିଲ୍ଲୀ ପିସିସି ସଭାପତି ଦେବେନ୍ଦର ଯାଦବ ।