ଜୀବନ ସଂଗ୍ରାମର ୧୪ ଦିନ : ଏବେବି ମେଘାଳୟ କୋଇଲା ଖଣିରେ ଫସି ରହିଛନ୍ତି ୧୫ ଶ୍ରମିକ

ଶିଲଂ : ୧୪ ଦିନ ହେଲା ଖଣି ଭିତରେ ୧୫ ଜଣ ଶ୍ରମିକ । ଚାଲିଛି ମୃତ୍ୟୁ ସହ ଲଢ଼େଇ । ମେଘାଳୟର ଜଇନ୍ତିଆ ହିଲ୍ସ ଅଞ୍ଚଳରେ ଥିବା କୋଇଲା ଖଣିରେ ଏମାନେ ଫସି ରହିଛନ୍ତି । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଦିନ ରାତି ଉଦ୍ୟମ ଚାଲିଛି । ହେଲେ ଏପର୍ଯ୍ୟନ୍ତ ସଫଳତା ମିଳି ନାହିଁ । ଏହା ଭିତରେ ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି ଯେ ଖଣି ଭିତରୁ ଦୁର୍ଗନ୍ଧ ଆସିବା ଆରମ୍ଭ ହୋଇଗଲାଣି । ଯାହା ଫସିଥିବା ଶ୍ରମିକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଆସନ୍ତାକାଲି ଏୟାରଫୋର୍ସ ଓ କୋଲ୍ ଇଣ୍ଡିଆ ଟିମ୍ ପହଞ୍ଚିବେ ବୋଲି ଜଣାପଡ଼ିଛି ।
ଗତ ୧୩ ତାରିଖରୁ ୧୫ ଜଣ ଶ୍ରମିକ ୩୫୦ ଫୁଟ ଗଭୀର କୋଇଲା ଖଣି ଭିତରେ ଫସି ରହିଛନ୍ତି । ଏଥିରେ ୭୦ ଫୁଟର ପାଣି ଭରି ରହିଛି । ପାଖରେ ଥିବା ନଦୀରେ ବନ୍ୟା ଯୋଗୁଁ ପାଣି ଖଣି ଭିତରେ ପଶିଯିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାଣି ବାହାର କରିବା ଲାଗି ପ୍ରୟାସ ଚାଲିଥିଲା । କିନ୍ତୁ ଯେଉଁ ପମ୍ପ ସବୁ କାମରେ ଲାଗିଥିଲା ତାର କ୍ଷମତା କମ୍ ଥିବାରୁ ସଫଳ ହେଲା ନାହିଁ । ତେଣୁ କାମ ବନ୍ଦ ରହିଛି । ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ୍ ଆସିବାକୁ ଆହୁରି ୪ ଦିନ ସମୟ ଲାଗିବ । ଏପଟେ ମେଘାଳୟ ସରକାର କହିଛନ୍ତି ଶ୍ରମିକଙ୍କୁ ଖଣି ଭିତରୁ ଉଦ୍ଧାର କରିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯାଉଛି । ଏନ୍ଡିଆରଏଫ୍ର ପ୍ରାୟ ୧୦୦ ଜଣ କର୍ମଚାରୀ ଘଟଣ ସ୍ଥଳରେ ଅପେକ୍ଷା କରି ରହିଛନ୍ତି । ତେବେ ସେମାନଙ୍କ ପାଖରେ ଅତ୍ୟାଧୁନିକ ଯନ୍ତ୍ରପାତି ନଥିବାରୁ ସେମାନେ କିଛି ବି କରି ପାରୁ ନାହାନ୍ତି ।
ଏହି ବେଆଇନ୍ ଖଣି ମାଲିକକୁ ପୋଲିସ୍ ଗିରଫ କରିଛି । ଏବେ ଚିନ୍ତା କେମିତି ବଞ୍ଚାଇ ହେବ ୧୫ ଜଣ ଶ୍ରମିକଙ୍କ ଜୀବନ । ୨୦୧୨ରେ ମେଘାଳୟରେ ଏଭଳି ଭାବେ ଖଣିରେ ଫସି ରହି ୧୫ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ୨୦୧୪ରୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଏସବୁ କୋଇଲା ଖଣିରୁ ଉତ୍ତୋଳନ ଉପରେ କଡ଼ା କଟକଣା ଜାରି କରିଥିଲା । ଏହା ସତ୍ତ୍ୱେ ବେଆଇନ୍ ଭାବେ ଲୁଚା ଚୋରାରେ କୋଇଲା ଉତ୍ତେଳନ କରାଯାଉଥିଲା ।
ମେଘାଳୟ ଯିବ ଓଡ଼ିଶା ଅଗ୍ନିଶମ ଟିମ୍
ଭୁବନେଶ୍ୱର (କେ ନ୍ୟୁଜ୍) : ମେଘାଳୟ କୋଇଲା ଖଣିରେ ଫସି ରହିଥିବା ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଯିବ ଓଡ଼ିଶା ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍ । ଆସନ୍ତାକାଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ୨୦ ଜଣିଆ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ସ୍ପେସଲ ଏୟାରକ୍ରାଫ୍ଟରେ ବାହାରିବ । ଉଦ୍ଧାର ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ନେଇ ଏହି ଟିମ୍ ମେଘାଳୟ ଯିବ । ସେଠାରେ କାର୍ଯ୍ୟ କରୁଥିବା ଉଦ୍ଧାରକାରୀମାନଙ୍କୁ ଏହି ଟିମ୍ ସହାୟତା କରିବ । ଏ ନେଇ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଟ୍ଵିଟ କରି ସୂଚନା ଦେଇଛନ୍ତି ।