ଛତିଶଗଡ଼: କେନ୍ଦୁପତ୍ର ତୋଳି ଫେରୁଥିବା ବେଳେ ଗଭୀର ଖାଇକୁ ଓଲଟିଲା ପିକ୍‌ଅପ୍‌ ଗାଡ଼ି; ୧୮ ମୃତ

ଛତିଶଗଡ଼ର କଓ୍ଵର୍ଦ୍ଧା ଜିଲ୍ଲାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ୧୦ରୁ ୧୨ ଜଣ ଲୋକ ଏଥିରେ ଆହତ ହୋଇଥିବା କୁହାଯାଉଛି ।

ଛତିଶଗଡ଼ର କଓ୍ଵର୍ଦ୍ଧା ଜିଲ୍ଲାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ୧୦ରୁ ୧୨ ଜଣ ଲୋକ ଏଥିରେ ଆହତ ହୋଇଥିବା କୁହାଯାଉଛି । ଜିଲ୍ଲାର କୁକ୍‌ ଦୂର ଥାନା ଅଧୀନରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ବାଇଗା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ କେନ୍ଦୁପତ୍ର ତୋଳି ଫେରୁଥିବା ବେଳେ ସେମାନଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା ।

ମିଳିଥିବା ସୂଚନା ମୁତାବକ, ବାହପାନି ଅଞ୍ଚଳରେ ଏକ ପିକ୍‌ଅପ୍‌ ଗାଡ଼ି ୨୦ ଫୁଟ୍‌ ଗଭୀର ଖାଇ ଭିତରକୁ ଓଲଟି ପଡ଼ିଥିଲା, ଯେଉଁଥିରେ ଘଟଣାସ୍ଥଳରେ ହିଁ ୧୮ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହି ପିକ୍‌ଅପ୍‌ରେ ୨୫ରୁ ୩୦ ଜଣ ଲୋକ ଥିଲେ ବୋଲି କୁହାଯାଉଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳ ଏକ ବନାଞ୍ଚଳ ବୋଲି କୁହାଯାଉଛି । ସୂଚନା ଅନୁସାରେ, ସମସ୍ତ ଲୋକ କେନ୍ଦୁପତ୍ର ତୋଳି ଫେରୁଥିଲେ । ଏହି ସମୟରେ ହଠାତ୍‌ ସେମାନଙ୍କ ଗାଡ଼ି ଭାରସାମ୍ୟ ହରାଇ ଗଭୀର ଖାଇକୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ବେଳେ ଲୋକମାନେ ଚିତ୍କାର କରିବାକୁ ଲାଗିଥିଲେ । ମୃତକମାନଙ୍କ ମଧ୍ୟରେ ଜଣେ ମାତ୍ର ପୁରୁଷ ଥିବାବେଳେ ବାକି ଅନ୍ୟମାନେ ହେଉଛନ୍ତି ମହିଳା । ସମସ୍ତ ମୃତକ ସେମହରା ଗାଁର ବାସିନ୍ଦା ।

ଏହି ଘଟଣାକୁ ନେଇ ଛତିଶଗଡ଼ର ଡେପୁଟି ସିଏମ୍‌ ବିଜୟ ଶର୍ମା ‘x’ରେ ଟ୍ଵିଟ୍‌ କରି ଶୋକବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ‘କଓ୍ଵର୍ଦ୍ଧାରେ ଶ୍ରମିକମାନଙ୍କୁ ନେଇ ଯାଉଥିବା ପିକ୍‌ଅପ୍‌ ଗାଡ଼ି ଓଲଟି ପଡ଼ିବା ଦ୍ୱାରା ଶ୍ରମିକମାନଙ୍କ ମୃତ୍ୟୁ ଘଟିବା ଅତ୍ୟନ୍ତ ଦୁଃଖଦାୟକ । ଯେଉଁମାନେ ଏହି ଦୁର୍ଘଟଣାରେ ନିଜ ଲୋକଙ୍କୁ ହରାଇଛନ୍ତି, ସେହି ପରିବାର ପ୍ରତି ମୋର ସମବେଦନା ରହିଛି । ଏହା ସହିତ ମୁଁ ସମସ୍ତ ଆହତଙ୍କ ଶୀଘ୍ର ସୁସ୍ଥତା ନେଇ କାମନା କରୁଛି । ରାଜ୍ୟ ସରକାରଙ୍କ ଦେଖାଶୁଣାରେ ସ୍ଥାନୀୟ ପ୍ରଶାସନ ପୀଡ଼ିତ ଏବଂ ସେମାନଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାରେ ଲାଗିଛି’ ।

Leave A Reply

Your email address will not be published.