ପ୍ରେମରେ ପଡି ଝିଅ ଭୁଲିଗଲା ବାପାର ସ୍ନେହ, ପ୍ରେମିକ ସହ ମିଶି ଜୀବନରୁ ଶେଷ କରିଦେଲା

ମାତ୍ର ୧୫ ବର୍ଷର ଝିଅଟିଏ,ଦଶମ ଶ୍ରେଣୀରେ ପାଠ ପଢ଼େ । କିନ୍ତୁ କାମ ଏମିତି କରିଛି, ଦଶ ଜଣ ଲୋକ ମିଶିଲେ ବି ଚିନ୍ତା କରିବେନି ଏମିତି କରିବାକୁ । କେତେ ଗେହ୍ଲ ବସରରେ ବଢ଼ାଇଥିଲେ ଝିଅକୁ । କିନ୍ତୁ ପ୍ରେମିକ ପାଇଁ ଝିଅ ଭୁଲିଗଲା ସବୁକିଛି । ପ୍ରେମିକର ପ୍ରେମ ଜାଲରେ ପାଗେଳି ହୋଇଗଲା ଝିଅ । ଭୁଲିଗଲା ହିତାହିତ ଜ୍ଞାନ । ଭୁଲିଗଲା ବାପାର ସ୍ନେହ ଆଉ ଭୁଲିଗଲା ଭାଇ ସହିତ ମିଛି ମିଛିକା ରାଗ । ହଁ ଆଜ୍ଞା ଏ ୧୫ ବର୍ଷର ଝିଅଟି କିଛି ଏମିତି ଖତରନାକ କାଣ୍ଡ କରିଛି ଯାହାକୁ ଯିଏ ଶୁଣୁଛି ତାଙ୍କ ଲୋମ ଟାଙ୍କୁରୀ ଉଠୁଛି । ବୟସ ମାତ୍ର ୧୫ । ସମ୍ବିଧାନ ଅନୁଯାୟୀ ସେ ନାବାଳିକା । ଦଶମ ଶ୍ରେଣୀରେ ପାଠ ପଢ଼ୁଛି । ଆଉ ଏଇ ବୟସରେ ସେ ବାପାଙ୍କୁ ମାରିଲା,୯ ବର୍ଷର କୁନି ଭାଇକୁ ମାରିଲା । ଆଉ ଜୀବନ ନେଇ ସାରି ଖଣ୍ଡବିଖଣ୍ଡିତ ଶରୀରକୁ ଫ୍ରିଜରେ ଭର୍ତ୍ତି କରିଦେଲା ।
ଖାଲି ସେତିକି ନୁହେଁ ୨ ମାସ ଯାଏଁ ପୋଲିସକୁ ଚକ୍ମା ଦେଇ ଭୂଆଁ ବୁଲାଇ ଚାଲିଲା । ଚାଲାଖ୍ ଝିଅର ଚତୁରତାକୁ ଆଦୌ ଟେର୍ ବି ପାଇଲାନି ପୋଲିସ । କିନ୍ତୁ କଥାରେ ଅଛି ଚୋର ଘର ଅନ୍ଧାର ନଥାଏ । ଏତେ ବଡ ପାପ କରି କିଏ କଣ ଏମିତି ଆରାମରେ ଖସି ଯିବ, ଅତି ସହଜରେ ବଞ୍ଚିଯିବ । ନା, ଶେଷରେ ବହୁ ଚେଷ୍ଟା ପରେ ଗିରଫ ହେଲା ଚତୁର ଝିଅ । ଏମିତି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ଉତ୍ତରାଖଣ୍ଡ ହରିଦ୍ୱାରରୁ । ଜବଲପୁରର ସିଭିଲ ଲାଇନ୍ ଏରିଆର ମିଲେନିୟମ ସୋସାଇଟିରେ ରହୁଥିଲେ ଜଣେ ପରିବାର । ବାପା ରେଲ୍ୱେ ବିଭାଗରେ ହେଡ୍ କ୍ଲର୍କ ଭାବେ କାମ କରୁଥିଲେ ।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏଇ ବୟସରେ ଏତେ ବଡ଼ ଜଘଣ୍ୟ କାଣ୍ଡ ଘଟାଇବା ପାଇଁ ତାର ସାହସ ଆସିଲା କେଉଁଠୁ ? ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ପୂରା ସିନେମାର କାହାଣୀ ଭଳି ଘଟିଛି ଏଭଳି ଏକ ଜଘନ୍ୟ ଘଟଣା । ଝିଅର ଜଣେ ବୟ ଫ୍ରେଣ୍ଡ ଥିଲା, ଯାହାର ନାଁ ମୁକୁଲ ସିଂହ ଏବଂ ବୟସ ୧୯ ବର୍ଷ । ହେଲେ ଘରେ କେହି ବି ଝିଅର ଏହି ପ୍ରେମକୁ ସ୍ୱୀକାର କରୁନଥିଲେ, କାରଣ ଝିଅର ବୟସ ମାତ୍ର ୧୫ ବର୍ଷ । ପାଠ ପଢ଼ିବା ସମୟ । ଆଉ ତାପରେ ବି ସେହି ବୟ ଫ୍ରେଣ୍ଡ ଏହି ହତ୍ୟାକାଣ୍ଡରେ ମଧ୍ୟ ସମ୍ପୃକ୍ତ ଥିଲା । ଏବେ ଆପଣ ବୋଧ ହୁଏ ପୁରା ଘଟଣାକୁ ଅନୁମାନ ଲଗାଇ ସାରିଥିବେ । ଯେ କଣ ହେଇଥିବ ପୂରା ଘଟଣା । ତେବେ ପୁରା କାହାଣୀଟି ହେଲା, ସେପ୍ଟେମ୍ବର ୨୦୨୩ରେ ନାବାଳିକା ଝିଅ ମୁକୁଲ ପ୍ରେମରେ ଏମିତି ପାଗେଳି ହେଇଗଲା ଯେ ତା ସହ ଘର ଛାଡ଼ି ଫେରାର ହୋଇଯାଇଥିଲା । ଯାହାଫଳରେ ମୁକୁଲକୁ ପୋକ୍ସୋ ଆକ୍ଟ ଅଧିନରେ ଗିରଫ କରାଯାଇଥିଲା । ତାପରେ କିଛି ଦିନ ଜେଲରେ ରହିବା ପରେ ମୁକୁଲ ବେଲରେ ବାହାରକୁ ଆସିଥିଲା । ଜେଲରୁ ବାହାରିବା ପରେ ମୁକୁଲ ଯୋଜନା କରିଥିଲା ନାବାଳିକାର ବାପାର କେମିତି ଜୀବନ ନେବ । ଆଉ ଏଥିରେ ନାବାଳିକା ଜଣକ ବି ତାକୁ ପୂରା ସାଥ୍ ଦେଇଥିଲା ।
ତାପରେ ବାପାର ଜୀବନ ନେବାକୁ ଚାଲିଲା ମାଷ୍ଟର ପ୍ଲାନ । ନାବାଳିକା ଜଣକ ଧରାପଡିବା ପରେ ପୋଲିସ ଆଗରେ ସ୍ୱୀକାର କରି ସବୁ କଥା କହିଛି ଯେ, ମୁକୁଲ ହିଁ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ । ସେ ହିଁ ତା ବାପା ରାଜକୁମାର ବିଶ୍ୱକର୍ମାଙ୍କୁ ମାରିଛି । ବାପାର ଜୀବନ ନେବାବେଳେ କୁନି ପୁଅ ତନିସ୍କର ନିଦ ଭାଙ୍ଗିଯାଇଥିଲା । ଆଉ ସେ ଏସବୁ କିଛି ଆଖିରେ ଦେଖିଦେଇଥିଲା । ତେଣୁ ତାକୁ ବି ମାରିବାକୁ ପଡ଼ିଲା । ତେବେ ଏଭଳି କାଣ୍ଡ ଘଟଣାଇବା ପରେ ଉଭୟ ଗୋଆ, ବାଙ୍ଗାଲୁରୁ, ମୁମ୍ବାଇ, ଉତ୍ତର ପ୍ରଦେଶ, ପଞ୍ଜାବରେ ଲୁଚିଥିଲେ । ଆଉ ଶେଷରେ ହରିଦ୍ୱାର ଆସିଥିଲେ । ସେହିଠାରେ ହିଁ ମୁକୁଲ ନାବାଳିକାଙ୍କୁ ଛାଡ଼ି କେଉଁଆଡ଼େ ପଳାଇଥିଲା । ତେବେ ପୋଲିସର ସୂଚନା ଅନୁଯାୟୀ ମୁକୁଲର ବାପା ମଧ୍ୟ ରେଲ୍ୱେ ବିଭାଗର ଜଣେ କର୍ମଚାରୀ ।
ହତ୍ୟା କରିବା ପରେ ଉଭୟ ତିନି ମାସ ପର୍ଯ୍ୟନ୍ତ ଫେରାର ରହିଥିଲେ । ତାପରେ ନାବାଳିକା ଜଣକ ହରିଦ୍ୱାରରୁ ଗିରଫ ହେଲା । କିନ୍ତୁ ମୁକୁଲ ଏବେ ବି ଫେରାର ରହିଛି । ହରିଦ୍ୱାର SSPଙ୍କ କହିବାନୁଯାୟୀ, ନାବାଳିକା ଜଣକ ସନ୍ଦିଗ୍ଧ ଭାବେ ସହରରେ ବୁଲୁଥିବା ନେଇ ଲୋକେ ଦେଖିଥିଲେ । ତେଣୁ ଲୋକଙ୍କର ସନ୍ଦେହ ହୋଇଥିଲା । ତାପରେ ପୋଲିସ ପହଞ୍ଚି ପଚରାଉଚରା କରିଥିଲା । ସେଥିରୁ ଜଣାପଡ଼ିଥିଲା ଯେ, ସେ ହତ୍ୟାକାରୀ । ନାବାଳିକା ଜଣକ ନିଜେ ନିଜର ସବୁ ଅପରାଧକୁ ସ୍ୱୀକାର କରିବା ସହ ବଖାଣିଥିଲା ସେଦିନର ସେହି କାଳ ରାତିର କଥା । ଜବଲପୁର ପୋଲିସକୁ ନାବାଳିକାଙ୍କୁ ହସ୍ତାନ୍ତର କରିଥିଲା ହରିଦ୍ୱାର ପୋଲିସ। ଅନ୍ୟପଟେ ଏବେ ବି ଫେରାର ଅଛି ମୁକୁଲ । ମୁକୁଲକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି ପୋଲିସ ।