ବେରୋଜଗାରୀ ଆଣିଲା ତାଲିବାନ! କଲମ ଛାଡ଼ିବାକୁ ବାଧ୍ୟ ହେଲେ ସାମ୍ବାଦିକ, ଆର୍ଥିକ ସଙ୍କଟରେ ଯୁଝି ହେଉଥିବା ୧୫୦ ମିଡିଆ ସଂସ୍ଥା ବନ୍ଦ

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ସାଧାରଣ ନାଗରିକମାନେ ଏଠାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲାଗୁଛି ଯେମିତି ତାଲିବାନ ନିଜ ସହିତ ଆଫଗାନୀମାନଙ୍କ ପାଇଁ ବେରୋଜଗାରୀ ମଧ୍ୟ ନେଇକି ଆସିଛି। ଅବସ୍ଥା ଏପରି ହୋଇଛି ଯେ କଲମ ବ୍ୟବହାର କରୁଥିବା ହାତ ଏବେ ଇଟା ଧରି ଶ୍ରମିକ କାମ କରୁଛି। ଜବିଉଲ୍ଲାହ ଓ୍ଵଫା, ଯିଏ ବଦଗିସ୍ ଅଞ୍ଚଳର ଫ୍ରେଜ୍ କୋହ ସହରରେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ, ସେ ଏବେ କଲମ ଛାଡି ଶ୍ରମିକ ଭାବେ କାମ କରୁଛନ୍ତି ଏବଂ ପରିବାର ଚଳାଇବା ପାଇଁ ଇଟା ତିଆରି କରୁଛନ୍ତି। ଜବିଉଲ୍ଲାହ ଓ୍ଵଫାଙ୍କ ପରିବାରରେ ୧୦ଜଣ ସଦସ୍ୟ ଅଛନ୍ତି |

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଜବିଉଲ୍ଲାହ ଓ୍ଵଫା ସେହି ଶହ ଶହ ଆଫଗାନୀଙ୍କ ମଧ୍ୟରୁ ଜଣେ, ଯିଏ ରୋଜଗାରର ପନ୍ଥା ହରାଇଛନ୍ତି ଅର୍ଥାତ୍ ତାଙ୍କ ଚାକିରି ହଠାତ୍ ଚାଲିଯାଇଛି। ଆର୍ଥିକ ପ୍ରତିବନ୍ଧକ ହେତୁ ମିଡିଆ ହାଉସ୍‌ ବନ୍ଦ ହୋଇଯିବାରୁ ସେ ଚାକିରି ହରାଇଛନ୍ତି। ଏକ ନ୍ୟୁଜ୍‌ ଏଜେନ୍ସି ସହିତ କଥାବାର୍ତ୍ତା ବେଳେ ଏହି ପୂର୍ବତନ ସାମ୍ବାଦିକ କହିଛନ୍ତି, ‘ତାଲିବାନ ଆସିବା ପରେ ସ୍ଥାନୀୟ ଗଣମାଧ୍ୟମ ସଂଗଠନ ମୋତେ ବହିଷ୍କାର କରି ଦେଇଥିଲା। ପାଖାପାଖି ୨ ମାସ ବିତିଗଲାଣି ଏବଂ ମୁଁ ଏକ ଭିନ୍ନ ଚାକିରି ପାଇଁ ଆଗ୍ରହ ପ୍ରକାଶ କରୁଛି| ପରିବାରର ଯତ୍ନ ନେବାକୁ ମୁଁ ମୋ ବାପାଙ୍କ ସହ ଇଟାଭାଟିରେ କାମ କରିବାକୁ ସ୍ଥିର କଲି’।

ଜବିଉଲ୍ଲାହ ଓ୍ଵଫାଙ୍କ କହିବା ଅନୁଯାୟୀ, ତାଙ୍କ ପରି ଶହ ଶହ ଆଫଗାନୀ ସାମ୍ବାଦିକ ସେଠାରେ ବେକାର ହୋଇଯାଇଛନ୍ତି। ସମସ୍ତଙ୍କୁ ସାହାଯ୍ୟ କରିବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି। ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଗତ ଦୁଇ ମାସ ମଧ୍ୟରେ ଆଫଗାନିସ୍ତାନର ପ୍ରାୟ ୧୫୦ ମିଡିଆ ଅନୁଷ୍ଠାନ ବନ୍ଦ ହୋଇଯାଇଛି। ତାଲିବାନ ଦଖଲ ପରେ ଏହି ସମସ୍ତ ଅନୁଷ୍ଠାନ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ, ଯେଉଁଥିପାଇଁ ଅନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯାଇଛି।

ଏକ ଖବର ଅନୁଯାୟୀ, ତାଲିବାନ ଏଠାରେ ବହୁ ସାମ୍ବାଦିକଙ୍କୁ ବାରଣ କରିଛି, ଯାହାଫଳରେ ମିଡିଆ ସଂସ୍ଥାଗୁଡ଼ିକର କାର୍ଯ୍ୟ ଉପରେ ଏହା ପ୍ରଭାବ ପକାଇଛି। ଜଣେ ସାମ୍ବାଦିକ କହିଛନ୍ତି ଯେ ଏଠାରେ ଗଣମାଧ୍ୟମ ବିଜ୍ଞାପନ ଉପରେ ନିର୍ଭରଶୀଳ। କିନ୍ତୁ ଏବେ କେଉଁଠାରୁ ବି ବିଜ୍ଞାପନ ମିଳୁନାହିଁ| ବିଜ୍ଞାପନ ନ ମିଳିବା କାରଣରୁ ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.