ଚୀନର ସପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲେ ୧୬ ଜଣ ଲୋକ

ଚୀନର ଦକ୍ଷିଣ ପଶ୍ଚିମ ଜିଙ୍ଗୋଗ୍‌ ସହରରେ ଥିବା ଏକ ସପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବହୁ ସଂଖ୍ୟାରେ ଲୋକେ ପୋଡ଼ି ହୋଇ ଆହତ ହୋଇଛନ୍ତି । ଚୀନର ସରକାରୀ ସମାଚାର ଏଜେନ୍ସି ‘ଶିନ୍‌ହୁଆ’ ମୁତାବକ, ବୁଧବାର ସନ୍ଧ୍ୟା ସମୟରେ ମଲ୍‌ରେ ନିଆଁ ଲାଗିଥିଲା । ସନ୍ଧ୍ୟା ପ୍ରାୟ ୬ଟା ବେଳେ ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳକୁ ଏ ନେଇ ସୂଚନା ମିଳିଥିଲା ।

ମଲ୍‌ର ୧୪ତମ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଖବର ପାଇ ଉଦ୍ଧାରକାରୀ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୭୫ ଜଣ ଲୋକଙ୍କୁ ସୁରକ୍ଷିତ ବାହାର କରିଥିଲେ । ଏବେ ବି ସେଠାରେ ରେସ୍‌କ୍ୟୁ କାର୍ଯ୍ୟ ଜାରି ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ନିଆଁ କେମିତି ଲାଗିଲା ଏବଂ ଦୁର୍ଘଟଣା ସମୟରେ ମଲ୍‌ରେ କେତେ ଜଣ ଲୋକ ଥିଲେ, ତାହା ଜଣାପଡ଼ି ନାହିଁ ।

ଏହି ସପିଂ ମଲ୍‌ରେ ଏକ ଡିପାର୍ଟମେଣ୍ଟାଲ୍‌ ଷ୍ଟୋର୍‌, କାର୍ଯ୍ୟାଳୟ, ରେଷ୍ଟୁରାଣ୍ଟ ଏବଂ ଏକ ଥିଏଟର ରହିଛି । ସେପଟେ ଅଗ୍ନିକାଣ୍ଡର କିଛି ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ବିଲ୍ଡିଂର ଝରକାରୁ ଧୂଆଁ ବାହାରୁଥିବାର ଦେଖାଯାଉଛି । ସମଗ୍ର ବିଲ୍ଡିଂରେ ନିଆଁ ବ୍ୟାପିଯାଇଥିଲା । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ନିଆଁ ଏତେ ଭୟାନକ୍‌ ଥିଲା ଯେ ଏହାକୁ ଦମକଳ ବାହିନୀ ଲିଭାଇ ପାରି ନ ଥିଲେ । ପରେ ଏହି କାର୍ଯ୍ୟରେ ଡ୍ରୋନ୍‌ର ସହାୟତା ନିଆଯାଇଥିଲା ।

You might also like