ଅନିୟନ୍ତ୍ରିତ ହୋଇ ଖାଇକୁ ଖସିଲା ବସ୍‌: ୧୭ ମୃତ, ୩୦ ଆହତ

ବାଂଲାଦେଶର ପଦ୍ମା ସେତୁର ଆପ୍ରୋଚ ରୋଡରୁ ଖାଇକୁ ଖସିଲା ବସ୍‌ । ଦୁର୍ଘଟଣାରେ ୧୭ ମୃତ୍ୟୁବରଣ କରିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।

ବାଂଲାଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାଜଧାନୀ ଢାକା ଅଭିମୁଖେ ଯାଉଥିବା ବସ୍ ପଦ୍ମାସେତୁରୁ ଅନିୟନ୍ତ୍ରିତ ହୋଇ ଖସିପଡିବାରୁ ଅତିକମରେ ୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମିଳିଛି । ଏହି ବସ୍ ଦୁର୍ଘଟଣା ମଦାରିପୁର ଅନ୍ତର୍ଗତ ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଘଟିଛି।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଥିବା ବେଳେ ଅନ୍ୟ ଯାତ୍ରୀମାନଙ୍କର ପରିଚୟ ମିଳିପାରି ନାହିଁ। ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଦମକଳ ବିଭାଗର ୩ଟି ଗାଡି ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଶିବଚର ରାଜପଥ ଥାନା ଭାରପ୍ରାପ୍ତ ଅଧିକାରୀ ଅବୁ ନୟିମ୍ ମହମ୍ମଦ୍ ମୋଫାଜେଲ୍ ହକ୍ କହିଛନ୍ତି।

ଇମାଦ୍ ପରିବହନ ବସର ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍ ବିପରୀତ ଦିଗକୁ ବୁଲିପଡ଼ି ରାସ୍ତା କଡ଼କୁ ଖସି ପଡ଼ିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ସକାଳ ୮.୧୫ ମିନିଟ୍ ସୁଦ୍ଧା ଦୁର୍ଘଟଣାଗ୍ରସ୍ତ ବସରୁ ଡ୍ରାଇଭର୍ ସମେତ ୧୪ଜଣଙ୍କ ଶବ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.