ପାକିସ୍ତାନରେ ବଡ଼ ଧରଣର ଦୁର୍ଘଟଣା! ବସ୍‌ରେ ନିଆଁ ଲାଗି ୧୭ ଯାତ୍ରୀ ଜୀବନ୍ତ ଦଗ୍ଧ; ବନ୍ୟା ପୀଡ଼ିତଙ୍କୁ ନେଇ ଯାଉଥିଲା ଗାଡ଼ି

ପାକିସ୍ତାନରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏଠାରେ ଏକ ବସ୍‌ରେ ନିଆଁ ଲାଗି ୧୭ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ପାକିସ୍ତାନର ସିନ୍ଧ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା, ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ ଏଥିରେ ବସ୍‌ରେ ଥିବା ୧୭ ଜଣ ଯାତ୍ରୀ ଜିଅନ୍ତା ଜଳି ଯାଇଥିଲେ। ଏହି ଘଟଣା କରାଚିଠାରୁ ପାଖାପାଖି ୯୦ କିଲୋମିଟର ଦୂର ନୁରିୟାବାଦ ସହରରେ ଘଟିଥିବା ଜଣାପଡ଼ିଛି।

ପାକ୍‌ ସରକାରୀ ଅଧିକାରୀମାନଙ୍କ କହିବା ହେଲା, ବୁଧବାର ସନ୍ଧ୍ୟାରେ ଖୈରପୁର ନାଥନ ଶାହ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ଯାଉଥିଲା। ନୁରିୟାବାଦ ସହର ପାଖାପାଖି ରାଜରାସ୍ତା ଉପରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଅନ୍ୟ ୨୦ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି।

ପୋଲିସ କହିଛି, ଇଣ୍ଟରସିଟି ବସ୍ ୫୦ରୁ ଅଧିକ ବନ୍ୟା ପୀଡିତଙ୍କୁ ଧରି ସେମାନଙ୍କ ଗାଁ ଅଭିମୁଖେ ଯାଉଥିଲା। ଏହି ଲୋକମାନେ କରାଚିରେ ନିର୍ମିତ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଥିଲେ। ଏ ସମସ୍ତ ବନ୍ୟା ପ୍ରଭାବିତ ଖୈରପୁର ନାଥନ ଶାହରେ ଥିବା ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ ମୃତକଙ୍କ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପାକିସ୍ତାନ ପୋଲିସ କହିଛି କି, ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସରକାରୀ ଭାବେ ଜଣାପଡି ନାହିଁ। ଏମିତିରେ ମିଡିଆ ରିପୋର୍ଟ ମୁତାବକ, କୋଚ୍‌ର ଏୟାର କଣ୍ଡିସନର ସିଷ୍ଟମରେ ତ୍ରୁଟି ଥିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବାର କୁହାଯାଉଛି। ଏଥିରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସିନ୍ଧ ସଂସଦୀୟ ସ୍ୱାସ୍ଥ୍ୟ ସଚିବ କାସିମ ସୁମରୋ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ନିଶ୍ଚିତ କରି କହିଛନ୍ତି ଯେ ପୀଡିତଙ୍କ ମଧ୍ୟରୁ ଅତି କମରେ ୧୨ ଜଣ ନାବାଳକ ଥିଲେ, ଯେଉଁମାନଙ୍କ ବୟସ ୧୫ ବର୍ଷ କିମ୍ବା ଏହାଠୁ କମ୍‌ ଥିଲା ବୋଲି ଅନୁମାନ କରାଯାଉଛି। ବସ୍‌ରେ ଥିବା ସମସ୍ତ ଯାତ୍ରୀ ଗୋଟିଏ ଗାଁର ବାସିନ୍ଦା ଥିଲେ। ନିଆଁରୁ ରକ୍ଷା ପାଇବା ପାଇଁ କିଛି ଯାତ୍ରୀ ବସ୍‌ରୁ ଡେଇଁ ପଡ଼ିଥିବା ଜଣାପଡ଼ିଛି।

ଏହି ଦୁର୍ଘଟଣା ବିଷୟରେ ଅବଗତ ହେବା ପରେ ସିନ୍ଧ ପ୍ରାନ୍ତ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହ ଜାମଶୋରୋର ଡେପୁଟି କମିଶନରଙ୍କୁ ତୁରନ୍ତ ଆମ୍ବୁଲାନ୍ସ ସହିତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି ମଧ୍ୟ ଏକ ବୟାନରେ କହିଛନ୍ତି ଯେ ପ୍ରଶାସନ ମୃତକ ଏବଂ ଆହତଙ୍କ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବ।

ସେପଟେ ମହାରାଷ୍ଟ୍ର ପୁନେ ଅମ୍ବେଗାଓଁ ଅଞ୍ଚଳରେ ମଧ୍ୟ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିଲା। ବସ୍‌ରେ ୨୭ ଜଣ ଯାତ୍ରୀ ଥିଲେ। ଯାତ୍ରୀମାନଙ୍କର କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି। ଡ୍ରାଇଭର ଜଣକ ଉପସ୍ଥିତି ବୁଦ୍ଧି ଖଟାଇ ବସ୍‌କୁ ରୋକିଥିଲେ ଏବଂ ତୁରନ୍ତ ବସ୍‌ ଭିତରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.