ଦକ୍ଷିଣ ଆଫ୍ରିକା: ନାଇଟ୍‌ କ୍ଲବ୍‌ରୁ ମିଳିଲା ୧୭ ଜଣଙ୍କ ମୃତଦେହ! ବିଷାକ୍ତ ମଦ୍ୟପାନ ଯୋଗୁ ମୃତ୍ୟୁ ଘଟିଥିବା ସନ୍ଦେହ

ଦକ୍ଷିଣ ଆଫ୍ରିକା ସହର ପୂର୍ବ ଲଣ୍ଡନରେ ଏକ ନାଇଟ୍‌ କ୍ଲବରୁ ୧୭ ଜଣଙ୍କ ମୃତଦେହ ମିଳିଛି। କିନ୍ତୁ ଏମାନଙ୍କ ମୃତ୍ୟୁ କିଭଳି ଘଟିଲା, ସେ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ସ୍ଥାନୀୟ ପୋଲିସର ସୂଚନା ମୁତାବକ, ପୂର୍ବ ଲଣ୍ଡନରେ ସିନରୀ ପାର୍କସ୍ଥିତ ଏକ ନାଇଟ୍‌ କ୍ଲବରେ ସନ୍ଦିଗ୍ଧ ପରିସ୍ଥିତିରେ ୧୭ ଜଣଙ୍କ ମୃତଦେହ ମିଳିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୋଲିସ କହିଛି, ମୃତକମାନଙ୍କ ବୟସ ୧୮ରୁ ୨୦ ବର୍ଷ ଭିତରେ ବୋଲି ଅନୁମାନ କରାଯାଉଛି। ମୃତଦେହଗୁଡ଼ିକର ଚିହ୍ନଟ ପରେ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ।

ତେବେ ଆଶଙ୍କା କରାଯାଉଛି ଯେ ଏମାନେ ସମସ୍ତେ ନାଇଟ୍‌ କ୍ଲବକୁ ପାର୍ଟି କରିବାକୁ ଯାଇଥିଲେ। ବିଷାକ୍ତ ମଦ୍ୟପାନ କିମ୍ବା ଅତ୍ୟଧିକ ନିଶା ସେବନ କାରଣରୁ ଏମାନଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସ୍ଥାନୀୟ ପୋଲିସ ମାମଲାର ତଦନ୍ତ କରୁଛି।

Leave A Reply

Your email address will not be published.