ବିଜେପିର ୧୮ ବିଧାୟକ ଝାଡ଼ଖଣ୍ଡ ବିଧାନସଭାରୁ ନିଲମ୍ବିତ, ମାର୍ଶଲଙ୍କ ସହାୟତାରେ ଗୃହରୁ ବାହାର କରାଗଲା

ଝାଡ଼ଖଣ୍ଡର ୧୮ ଜଣ ବିଜେପି ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ଗୁରୁବାର ଗୃହ ଛାଡ଼ିବାକୁ ମନା କରିବାରୁ ଏହି ବିଧାୟକମାନଙ୍କୁ ଅଗଷ୍ଟ ୨ ତାରିଖ ଅପରାହ୍ନ ୨ଟା ଯାଏ ନିଲମ୍ବିତ କରାଯାଇଛି । ସେମାନଙ୍କୁ ମାର୍ଶଲଙ୍କ ଦ୍ୱାରା ବାହାର କରାଯାଇଛି । ବାଚସ୍ପତି ରବିନ୍ଦ୍ର ନାଥ ମହତୋ ବିଜେପି ସଦସ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ମାର୍ଶଲଙ୍କ ସହାୟତାରେ ଏହି ବିଧାୟକମାନଙ୍କୁ ଗୃହରୁ ବାହାର କରାଯାଇଥିଲା, କାରଣ ସେମାନେ ନିଲମ୍ବନ ପରେ ଗୃହ ଛାଡ଼ିବାକୁ ମନା କରି ଦେଇଥିଲେ । ଦିନକ ପୂର୍ବରୁ ମାର୍ଶଲଙ୍କ ସହାୟତାରେ ବିରୋଧୀ ବିଧାୟକଙ୍କୁ ଗୃହରୁ ବାହାର କରାଯିବାକୁ ଏହି ବିଧାୟକମାନେ ବିରୋଧ କରିଥିଲେ । ବିଜେପି ଏବଂ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍ ୟୁନିୟନ ପାର୍ଟିର ବିଧାୟକମାନଙ୍କୁ ମାର୍ଶଲମାନେ ଗୃହରୁ ବାହାର କରିଥିଲେ ।
ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ମଧ୍ୟରେ ଗୃହରେ ପ୍ରବଳ ବିତର୍କ ଦେଖିବାକୁ ମିଳିଥିଲା । ବିଶୃଙ୍ଖଳା ପରିସ୍ଥିତି ଜାରି ରହିବାରୁ ବାଚସ୍ପତି ୧୮ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଥିଲେ । ନିଲମ୍ବନ ସତ୍ତ୍ୱେ ସେମାନେ ଗୃହରୁ ବାହାରକୁ ଯିବାକୁ ମନା କରି ଦେଇଥିଲେ, ଯାହାଫଳରେ ବାଚସ୍ପତି ମାର୍ଶଲଙ୍କୁ ଡକାଇଥିଲେ ।
ଯେତେବେଳ ମାର୍ଶଲ ସେମାନଙ୍କୁ ଗୃହର ୱେଲ୍ରୁ ବାହାରକୁ ନେଇଥିଲେ, ବହୁ ବିଜେପି ବିଧାୟକ ବିଧାନସଭା ଲବିରେ ବୁଧବାର ରାତି ବିତାଇଥିଲେ । ରୋଜଗାର ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦ୍ୱାରା ଉତ୍ତର ନ ପାଇବା ପରେ ସେମାନେ ସେଠାରେ ବିରୋଧ ପ୍ରଦର୍ଶନ କରିଥିଲେ ।