ନାଇଜେରିଆରେ ବଡ଼ ଦୁର୍ଘଟଣା, ତୈଳ ଟ୍ୟାଙ୍କର ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ, ୧୦ ଆହତ

ଦକ୍ଷିଣ ନାଇଜେରିଆରେ ଏକ ଫୁଏଲ୍ ଟ୍ୟାଙ୍କର ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ଦକ୍ଷିଣ-ପୂର୍ବ ରାଜ୍ୟ ଏନୁଗୁର ଏନୁଗୁ-ଓନିଟଶା ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଥିବା ନାଇଜେରିଆର ଫେଡେରାଲ ସଡ଼କ ସୁରକ୍ଷା କର୍ପସ ସୂଚନା ଦେଇଛି । ଏଠାରେ ଗ୍ୟାସୋଲିନ ଭର୍ତ୍ତି ଏକ ଟ୍ୟାଙ୍କର ୧୭ଟି ଗାଡ଼ିକୁ ଧକ୍କା ଦେବା ପରେ ଭୀଷଣ ବିସ୍ଫୋରଣ ଘଟିଥିଲା, ଯାହାଫଳରେ ନିଆଁରେ ପୋଡ଼ି ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା ।

ମୃତକମାନଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରିନାହିଁ । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ଉଦ୍ଧାର କର୍ମଚାରୀମାନେ ଅନ୍ୟ ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ଏକ ସପ୍ତାହ ପୂର୍ବରୁ ଉତ୍ତର ନାଇଜେରିଆରେ ଏକ ପେଟ୍ରୋଲ ଟ୍ୟାଙ୍କର୍ ଟ୍ରକ୍ ଓଲଟି ପଡ଼ିଥିଲା । ଏହି କାରଣରୁ ଇନ୍ଧନ ଚାରିଆଡେ ବ୍ୟାପି ଯିବାରୁ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏଥିସହ ନିକଟରେ ଥିବା ୧୫ରୁ ଅଧିକ ଦୋକାନ ନଷ୍ଟ ହୋଇଯାଇଥିଲା ।

ଏହିପରି କିଛି ମାସ ତଳେ ମଧ୍ୟ ନାଇଜେରିଆରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୯୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଏକ ତୈଳ ଟ୍ୟାଙ୍କର ରାସ୍ତା ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତେଲ ଲୁଟିବା ପାଇଁ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ଲୋକମାନେ ଟ୍ୟାଙ୍କରରୁ ତେଲ ବାହାର କରୁଥିବା ବେଳେ ହଠାତ୍‌ ବଡ଼ ବିସ୍ଫୋରଣ ଘଟିଥିଲା । ଏହି ଦୁର୍ଘଟଣା ଉତ୍ତର ନାଇଜେରିଆର ଜିଗାଓ୍ୱା ରାଜ୍ୟରେ ଘଟିଥିଲା । ପେଟ୍ରୋଲ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା । ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ୯୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଗୁରୁତର ଆହତ ହୋଇଥିଲେ । ଲୋକମାନେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ନିକଟରେ ରୁଣ୍ଡ ହୋଇଥିବା ବେଳେ ଜୋର୍‌ଦାର ବିସ୍ଫୋରଣ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଲିକେଜ ହେବା ଯୋଗୁଁ ଫାଟିଲା ଗ୍ୟାସୋଲିନ ଟ୍ୟାଙ୍କର, ୭୦ ମୃତ

You might also like