ଜୟପୁରର ସବୁଠୁ ବଡ ହସ୍ପିଟାଲରେ ଅଭାବନୀୟ ଘଟଣା! ଅପରେସନ୍ ପରେ ୧୮ଜଣ ହରାଇଲେ ଦୃଷ୍ଟିଶକ୍ତି

ରାଜସ୍ଥାନର ରାଜଧାନୀ ଜୟପୁରସ୍ଥିତ ସୱାଇ ମାନସିଂହ ସରକାରୀ ହସ୍ପିଟାଲ । ଯାହା ଜୟପୁରର ସବୁଠୁ ବଡ ହସ୍ପିଟାଲ ଭିତରୁ ଗୋଟେ । ଏଠାରେ ଚକ୍ଷୁ ଅସ୍ତ୍ରୋପଚାର ପରେ ୧୮ ଜଣ ରୋଗୀ ଦୃଷ୍ଟିଶକ୍ତି ହରାଇଥିବା ଜଣାପଡିଛି ।

ଜୟପୁର: ରୋଗୀ ଭଲ ହେବା ପାଇଁ ପ୍ରଥମେ ଡାକ୍ତରଖାନାକୁ ଯାଏ । ସେଠାରେ ରୋଗକୁ ଚିହ୍ନି ତାଙ୍କୁ ସଠିକ୍ ଚିକିତ୍ସା କରି ସୁସ୍ଥ କରିଥାନ୍ତି ଡାକ୍ତର । ସବୁ ରୋଗୀଙ୍କର ଆଶା ଥାଏ ଡାକ୍ତର ସବୁ ଜାଣିଛନ୍ତି ଆଉ ସେ ତୁରନ୍ତ ସବୁ ଠିକ୍ କରିଦେବେ । ସେହି ବିଶ୍ୱାସ ନେଇ ପ୍ରତିଟି ରୋଗୀ ପହଁଚିଯାଇଥାଏ ଡାକ୍ରଙ୍କ ପାଖରେ । ହେଲେ ଯଦି ଡାକ୍ତରଙ୍କ ପାଖକୁ ଯିବା ପରେ ରୋଗୀର ରୋଗ ଭଲ ହେବା ପରିବର୍ତ୍ତେ ଦ୍ୱିଗୁଣିତ ହୋଇଯାଏ? ତେବେ ରୋଗୀର କଣ ଯେ ଅବସ୍ଥା ହେବ ତାହାକୁ ସେହି ରୋଗୀ ହିଁ କହିପାରିବ । ତେବେ ଏତିମି ଏକ ଘଟଣା ଘଟିଛି ରାଜସ୍ଥାନର ରାଜଧାନୀ ଜୟପୁରରେ । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜସ୍ଥାନର ରାଜଧାନୀ ଜୟପୁରସ୍ଥିତ ସୱାଇ ମାନସିଂହ ସରକାରୀ ହସ୍ପିଟାଲ । ଯାହା ଜୟପୁରର ସବୁଠୁ ବଡ ହସ୍ପିଟାଲ ଭିତରୁ ଗୋଟେ । ଏଠାରେ ଚକ୍ଷୁ ଅସ୍ତ୍ରୋପଚାର ପରେ ୧୮ ଜଣ ରୋଗୀ ଦୃଷ୍ଟିଶକ୍ତି ହରାଇଥିବା ଜଣାପଡିଛି। ସୂଚନା ମୁତାବକ ଏହି ହସ୍ପିଟାଲରେ ପୀଡିତଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା । ରାଜ୍ୟ ସରକାରଙ୍କ ଚୀରଞ୍ଜିବୀ ସ୍ୱାସ୍ଥ୍ୟ ଯୋଜନାରେ ଏମାନଙ୍କର ଅସ୍ତ୍ରୋପଚାର କରାଯାଇଥିବା କୁହାଯାଇଛି । ତେବେ ଆଖିରେ ସଂକ୍ରମଣ ଯୋଗୁଁ ଦୃଷ୍ଟିଶକ୍ତି ସାମୟିକଭାବେ ଚାଲିଯାଇଛି ଏବଂ ଉପଯୁକ୍ତ ଚିକିତ୍ସା କରାଗଲେ ସେମାନେ ଦୃଷ୍ଟିଶକ୍ତି ଫେରିପାଇବେ ବୋଲି ଡାକ୍ତର କହିଛନ୍ତି ।

ଏପଟେ ଜଣେ ରୋଗୀ କହିଛନ୍ତି, ଜୁନ୍ ୨୩ ରେ ତାଙ୍କର ଏକ ଅପରେସନ୍ ହୋଇଥିଲା ଏବଂ ଜୁଲାଇ ୫ ପର୍ଯ୍ୟନ୍ତ ଆଖିକୁ ଦେଖାଯାଇଥିଲା, ସବୁକିଛି ଠିକ୍ ଠାକ୍ ଦୃଶ୍ୟମାନ ହେଉଥିଲା। କିନ୍ତୁ ୬ରୁ ୭ ଜୁଲାଇ ଭିତରେ ଆଖିକୁ ଆଉ କିଛି ଦେଖାଗଲା ନାହିଁ । ଏହା ପରେ ପୁଣି ଅପରେସନ୍ କରାଯାଇଥିଲା କିନ୍ତୁ ଦୃଷ୍ଟିଶକ୍ତି ଆଉ ଫେରିଲା ନାହିଁ।

ରୋଗୀ ଜଣକ କହିଛନ୍ତି ଯେ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ଦୃଷ୍ଟିଶକ୍ତି ହରାଇବାର କାରଣ ହେଉଛି ସଂକ୍ରମଣ ଏବଂ ସଂକ୍ରମଣକୁ ଭଲ କରିବା ପାଇଁ ଉଦ୍ୟମ କରାଯାଉଛି। ଯେତେବେଳେ ରୋଗୀମାନେ ଆଖିରେ ଯନ୍ତ୍ରଣା ଅନୁଭବ କରିଥିଲେ, ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କୁ ଡାକ୍ତରଖାନାକୁ ଆସିବାକୁ କହିଥିଲେ। ସେମାନେ ପୁନର୍ବାର ଅସ୍ତ୍ରୋପଚାର କରିବା ପରେ ମଧ୍ୟ କିଛି ଫାଦା ମିଳିନଥିଲା । ପ୍ରାୟ ଅନେକ ରୋଗୀ ଦୁଇଥରରୁ ଅଧିକ ଅସ୍ତ୍ରୋପଚାର କରିଥିଲେ ତଥାପି ସେମାନେ ହରାଇଥିବା ଦୃଷ୍ଟିଶକ୍ତି ଫେରି ପାଇପାରିଲେ ନାହିଁ ।

କିନ୍ତୁ ଡାକ୍ତରଖାନାର ଚକ୍ଷୁ ବିଭାଗର ଅଧିକାରୀମାନେ ଦାବି କରିଛନ୍ତି ଯେ ସେମାନଙ୍କ ପକ୍ଷରୁ କୌଣସି ଅସୁବିଧା ହୋଇନାହିଁ ଏବଂ ରୋଗୀଙ୍କ ଅଭିଯୋଗ ପାଇବା ପରେ ସେମାନେ ଏହି ଘଟଣାକୁ ନେଇ ତଦନ୍ତ ଚଳାଛନ୍ତି ।