ମେକ୍ସିକୋରେ ଏକ ଭୀଷଣ ସଡ଼କ ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ମୁତାବକ, ମେକ୍ସିକୋର କେନ୍ଦ୍ରୀୟ ରାଜ୍ୟ ଜକାଟେକାସରେ ଶନିବାର ଏକ ବସ୍ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।
ଦୁର୍ଘଟଣା ସକାଳ ସମୟରେ ଘଟିଥିଲା । ଯାତ୍ରୀମାନଙ୍କୁ ନେଇ ଯାଉଥିବା ବସ୍ ମକା ବୋଝେଇ ଏକ ଟ୍ରେଲର ପଛରେ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ଖାଇକୁ ଖସି ପଡ଼ିଥିଲା ।
ଜକାଟେକାସା ଗଭର୍ଣ୍ଣର ଡେଭିଡ୍ ମୋନରିୟାଲ ପ୍ରାରମ୍ଭିକ ଭାବରେ ପ୍ରଥମେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । କିନ୍ତୁ ପରେ ରାଜ୍ୟ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ଏକ ବୟାନରେ ଏହି ସଂଖ୍ୟାକୁ ସଂଶୋଧିତ କରିଥିଲା । କାର୍ଯ୍ୟାଳୟ ତରଫରୁ କୁହାଯାଇଥିଲା କି, ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି ।
ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ କହିଛି ଯେ ଟ୍ରେଲର ଡ୍ରାଇଭରଙ୍କୁ ଗିରଫ କରିବାକୁ ଚେଷ୍ଟା ଚାଲିଛି । ଦୁର୍ଘଟଣାର ଶିକାର ହୋଇଥିବା ବସ୍ ସିଉଦାଦ ଜୁଆରେଜ୍ ଯାଉଥିଲା । ଏହା ଆମେରିକା-ମେକ୍ସିକୋ ସୀମାରେ ଅବସ୍ଥିତ ଚିହୁଆହୁଆ ରାଜ୍ୟର ଏକ ସହର ।
ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଦୁର୍ଘଟଣାର କିଛି ଫଟୋରେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ମୃତଦେହଗୁଡ଼ିକୁ ବାହାର କରୁଥିବାର ଦେଖାଯାଉଛି । ତେବେ ମୃତକମାନଙ୍କ ମଧ୍ୟରେ କେହି ପ୍ରବାସୀ ନ ଥିବା ଆଟର୍ଣ୍ଣି ଜେନେରାଲଙ୍କ କାର୍ଯାଳୟ ସୂତ୍ରରୁ ଜଣାପଡ଼ିଛି ।