ଅଲ୍ ସାଲଭାଡୋର୍, ତୁର୍କୀରେ ପ୍ରକୃତିର ତାଣ୍ଡବ; ବର୍ଷା ଓ ଅଗ୍ନିକାଣ୍ଡରେ ୩୦ ଜଣଙ୍କ ମୃତ୍ୟୁ

ମଧ୍ୟ ଆମେରିକୀୟ ଦେଶ ଅଲ୍ ସାଲଭାଡୋରରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଶୁକ୍ରବାର ଏଠାରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଆଉ ୬ ଜଣଙ୍କର ମୃତ୍ୟୁ ହେବା ସହ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଛି । ସେପଟେ ତୁର୍କୀରେ ଭୟାବହ ଅଗ୍ନିକାଣ୍ଡରେ ୧୧ ଜଣ ପ୍ରାଣ ହରାଇଛନ୍ତି । କୁହାଯାଉଛି ଯେ ଅଲ୍ ସାଲଭାଡୋରର ରାଜଧାନୀ ଉପକଣ୍ଠ ଅଞ୍ଚଳରେ କାନ୍ଥ ଭୁଶୁଡ଼ିବା ଏବଂ ଭୂସ୍ଖଳନ ଯୋଗୁ ୧୯ ଜଣଙ୍କ ପ୍ରାଣହାନି ଘଟିଛି ।
ଗ୍ଵାଟେମାଲାର ପ୍ରଶାନ୍ତ ଉପକୂଳ ଏବଂ ମେକ୍ସିକୋ ଗଲ୍ଫରେ ପାଣିପାଗ ପରିସ୍ଥିତି କାରଣରୁ ଟ୍ରପିକାଲ୍ ସାଇକ୍ଲୋନ୍ ଆଲବର୍ଟୋ ବିକଶିତ ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ମେକ୍ସିକୋ ଏବଂ ମଧ୍ୟ ଆମେରିକାରେ ପ୍ରବଳ ବର୍ଷା ଜାରି ରହିଛି । ଅଲ୍ ସାଲଭାଡୋରର ନାଗରିକ ପ୍ରତିରକ୍ଷା ଅଧିକାରୀମାନେ ପ୍ରବଳ ବର୍ଷା ହେତୁ ରେଡ ଆଲର୍ଟ ଜାରି କରିଛନ୍ତି । ଏହାସହ ଅଧିକାରୀମାନେ ୧୫ ଦିନ ପାଇଁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।
ଦେଶର ନାଗରିକ ସୁରକ୍ଷା ବିଭାଗ କହିଛି ଯେ ଏକ ଘର ଭୁଶୁଡ଼ି ୫ ଏବଂ ୭ ବର୍ଷର ଦୁଇ ଝିଅଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ବିଭାଗ ଭୂସ୍ଖଳନର ବିପଦ ସମ୍ପର୍କରେ ଅଞ୍ଚଳବାସୀଙ୍କୁ ଚେତାବନୀ ଦେଇ କହିଛି, ବର୍ଷା ଯୋଗୁ ପାଣି ଜମା ହୋଇଯିବା କାରଣରୁ କାନ୍ଥ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି ।
ଅନ୍ୟପଟେ ଦକ୍ଷିଣ-ପୂର୍ବ ତୁର୍କୀରେ ଏକ ଫସଲରେ ନିଆଁ ଲାଗି ରାତାରାତି ବସ୍ତି ଅଞ୍ଚଳକୁ ବ୍ୟାପିଯାଇଥିଲା । ଏହା ସଂସ୍ପର୍ଶରେ ଆସି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପଡୋଶୀ ଦେଶ ୟୁନାନରେ ଅଧିକାରୀମାନେ ଜଙ୍ଗଲ ଅଗ୍ନିକାଣ୍ଡ ହେତୁ ଏଥେନ୍ସର ଦକ୍ଷିଣ ଏବଂ ଦକ୍ଷିଣ ପେଲୋପୋନିଜ୍ ଅଞ୍ଚଳର ଅନେକ ଗ୍ରାମକୁ ଖାଲି କରିଦେଇଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ଫହରେଟିନ୍ କୋକା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ଯେ ଅଗ୍ନିକାଣ୍ଡରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।