ହିମାଚଳ: ପାରାଗ୍ଲାଇଡିଂ ବେଳେ ଦୁର୍ଘଟଣା, ପାହାଡ଼ରୁ ତଳକୁ ଖସି ୧୯ ବର୍ଷୀୟା ଯୁବତୀ ମୃତ, ପାଇଲଟ୍ ଆହତ

ହିମାଚଳ ପ୍ରଦେଶର ଧର୍ମଶାଳାରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ପାରାଗ୍ଲାଇଡିଂ ବେଳେ ୧୯ ବର୍ଷୀୟା ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨୯ ବର୍ଷୀୟ ପାଇଲଟ୍ ଆହତ ହୋଇଛନ୍ତି । ଶନିବାର ସନ୍ଧ୍ୟାରେ ଉଡ଼ାଣ ଭରିବା ବେଳେ କୌଣସି ତ୍ରୁଟି ବଶତଃ ପାରାଗ୍ଲାଇଡର ତଳକୁ ଖସି ପଡ଼ିଥିଲା ।
ମୃତା ଯୁବତୀ ହେଲେ ଗୁଜରାଟର ଭାବସାର ଖୁସି । ସେ ନିଜ ପରିବାର ସହିତ ଛୁଟି କାଟିବା ପାଇଁ ଅହମ୍ମଦାବାଦରୁ ହିମାଚଳ ପ୍ରଦେଶ ଆସିଥିଲେ । କାଙ୍ଗଡ଼ାର ଅତିରିକ୍ତ ପୋଲିସ ଅଧୀକ୍ଷକ ବୀର ବାହାଦୂରଙ୍କ ଅନୁସାରେ, ଖୁସି ଇନ୍ଦ୍ରନାଗ ସାଇଟରେ ପାରାଗ୍ଲାଇଡିଂ କରିବା ପାଇଁ ବିକଳ୍ପ ବାଛିଥିଲେ । ଯେତେବେଳେ ସେ ଓ ତାଙ୍କ ପାଇଲଟ୍ ଉଡ଼ାଣ ଭରିବାକୁ ଯାଉଥିଲେ, ହଠାତ୍ ପାରାଗ୍ଲାଇଡର ଖସି ପଡ଼ିଥିଲା ଏବଂ ଦୁହେଁ ପାହାଡ଼ରୁ ତଳକୁ ଖସିପଡ଼ିଥିଲେ ।
ଫଳରେ ଘଟଣାସ୍ଥଳରେ ହିଁ ଖୁସିଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ପାଇଲଟ୍ ଜଣକ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପାଖ ହସ୍ପିଟାଲ ନିଆଯାଇଥିଲା । ସେପଟେ ମୃତଦେହକୁ ଧର୍ମଶାଳାର ଏକ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।
ଯୁବତୀଙ୍କ ପରିବାର ଲୋକଙ୍କ ବୟାନ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି । ସୂଚନା ମୁତାବକ, ଦୁର୍ଘଟଣା ସନ୍ଧ୍ୟା ୫ଟା ୪୫ ମିନିଟ୍ ସୂର୍ଯ୍ୟାସ୍ତ ସମୟରେ ଘଟିଥିଲା । ଯଦିଓ ସାଇଟରେ କେବଳ ସନ୍ଧ୍ୟା ୫ଟା ଯାଏ ପାରାଗ୍ଲାଇଡିଂର ନିୟମ ରହିଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ନିକଟରେ ଗୋଆରେ ମଧ୍ୟ ପାରାଗ୍ଲାଇଡିଂ ବେଳେ ବଡ଼ ଦୁର୍ଘଟଣା ଘଟିଥିଲା । ଏଥିରେ ପାରାଗ୍ଲାଇଡିଂ କରୁଥିବା ଜଣେ ମହିଳା ପର୍ଯ୍ୟଟକ ଓ ତାଙ୍କ ପ୍ରଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ପାରାଗ୍ଲାଇଡିଂ କମ୍ପାନୀର ମାଲିକଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲେ ଶେଖର ରାୟଜାଦା ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବତୀ ହେଲେ ପୁଣେର ୨୭ ବର୍ଷୀୟା ଶିବାନୀ ଡବଲେ ଓ ପ୍ରଶିକ୍ଷକ ୨୬ ବର୍ଷୀୟ ସୁମନ ନେପାଳି । ଦୁହେଁ ବହୁ ଉଚ୍ଚରୁ ଖସି ଗଭୀର ଗର୍ତ୍ତରେ ପଡ଼ିଥିଲେ ।
ଆହୁରି ପଢ଼ନ୍ତୁ: ଗୋଆରେ ପାରାଗ୍ଲାଇଡିଂ ବେଳେ ଦୁର୍ଘଟଣା, ଗଭୀର ଗର୍ତ୍ତକୁ ଖସି ମହିଳା ପର୍ଯ୍ୟଟକ ଓ ପ୍ରଶିକ୍ଷକଙ୍କ ମୃତ୍ୟୁ