ନେପାଳ: ଭୟଙ୍କର ଭୂସ୍ଖଳନ ଯୋଗୁ ନଦୀରେ ଭାସିଗଲା ଦୁଇଟି ବସ୍‌; ୭ ଭାରତୀୟଙ୍କ ମୃତ୍ୟୁ, ୫୦ରୁ ଅଧିକ ନିଖୋଜ

ନେପାଳରେ ବଡ଼ ଦୁର୍ଘଟଣା । ଏଠାରେ ଭୟଙ୍କର ଭୂସ୍ଖଳନ ଯୋଗୁ ଦୁଇଟି ବସ୍‌ ତ୍ରିଶୂଲି ନଦୀରେ ଭାସିଯାଇଛି । ଏହି ଦୁର୍ଘଟଣାରେ ୭ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ଦୁଇଟି ବସ୍‌ରେ ମୋଟ ୬୫ ଜଣ ଯାତ୍ରୀ ଥିଲେ । ଭୋର୍‌ ପ୍ରାୟ ସାଢ଼େ ୩ଟା ବେଳେ ଚିତବନ ଜିଲ୍ଲାର ସିମଲତାଲ ଅଞ୍ଚଳରେ ନାରାୟଣଘାଟ-ମୁଗଲିଂ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

ଚିତବନର ଡିଏମ୍‌ ଇନ୍ଦ୍ରଦେବ ଯାଦବ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ବୀରଗଞ୍ଜରୁ କାଠମାଣ୍ଡୁ ଯାଉଥିବା ଆଞ୍ଜେଲ୍‌ ବସ୍‌ ଏବଂ ରାଜଧାନୀରୁ ଗୌର ଅଭିମୁଖେ ବାହାରିଥିବା ଗଣପତି ଡିଲକ୍ସ ବସ୍‌ ଭୋର୍‌ ୩ଟା ୩୦ରେ ଭୟଙ୍କର ଭୂସ୍ଖଳନ ସଂସ୍ପର୍ଶରେ ଆସିଥିଲା । ସୂଚନା ଅନୁସାରେ, ଆଞ୍ଜେଲ୍‌ ବସ୍‌ରେ ୨୪ ଜଣ ଯାତ୍ରୀ ଏବଂ ଗଣପତି ଡିଲକ୍ସ ବସ୍‌ରେ ୪୧ ଜଣ ଯାତ୍ରୀ ଥିଲେ ।

ତେବେ କାଠମାଣ୍ଡୁ ଯାଉଥିବା ବସ୍‌ର ୨୧ ଯାତ୍ରୀଙ୍କ ପତ୍ତା ମିଳିଯାଇଛି । ମୃତକମାନଙ୍କ ମଧ୍ୟରେ ୭ ଭାରତୀୟ ଥିବା ଜଣାପଡ଼ିଛି । ସେପଟେ ଗଣପତି ଡିଲକ୍ସ ବସ୍‌ର ୩ ଜଣ ଯାତ୍ରୀ ବସ୍‌ରୁ ଡେଇଁ ପଡ଼ିବାରୁ ସେମାନେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ଘଟଣାସ୍ଥଳରେ ରେସ୍‌କ୍ୟୁ କାର୍ଯ୍ୟ ଆରମ୍ଭ କରାଯାଇଛି ।

ସ୍ଥାନୀୟ ଲୋକେ ନଦୀରେ ବୁଡ଼ିଯାଇଥିବା ଲୋକଙ୍କୁ ବାହାର କରିବା ପାଇଁ ପ୍ରଶାସନକୁ ସାହାଯ୍ୟ କରୁଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ, ଅନ୍ଧାର ହୋଇଥିବାରୁ ଭୋର୍‌ ସାଢ଼େ ୩ଟା ବେଳେ ଦୁଇଟି ବସ୍‌ ଭୟଙ୍କର ଭୂସ୍ଖଳନ ସଂସ୍ପର୍ଶରେ ଆସିଥିଲା । ଫଳରେ ବସ୍‌ ଦୁଇଟି ତ୍ରିଶୂଲି ନଦୀରେ ଭାସିଯାଇଥିଲା ।

ଏହି ଦୁର୍ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଟ୍ଵିଟ୍‌ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପୋଲିସ ଅଧୀକ୍ଷକ ଭାବେଶ ରିମଲ କହିଛନ୍ତି ଯେ ନେପାଳ ପୋଲିସ ଏବଂ ସଶସ୍ତ୍ର ଫୋର୍ସ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ନାରାୟଣଘାଟ-ମୁଗଲିଂ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଯାତାୟାତ ସ୍ୱାଭାବିକ କରିବା ପାଇଁ ପ୍ରାୟ ୪ ଘଣ୍ଟା ସମୟ ଲାଗିବ ।

You might also like