ଛତିଶଗଡ଼ରେ ସୁରକ୍ଷା ବାହିନୀ ଗାଡ଼ି ଖାଇକୁ ଖସିଲା, ୨ ଯବାନ ମୃତ; ଡ୍ରାଇଭରଙ୍କ ସମେତ ଦୁଇ ଆହତ

ଛତିଶଗଡ଼ର ବଳରାମପୁର ଜିଲ୍ଲାରେ ଏକ ଛୋଟ ମାଲବାହୀ ଗାଡ଼ି ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ଛତିଶଗଡ଼ ସଶସ୍ତ୍ର ବାହିନୀ (CAF)ର ଦୁଇଜଣ ଯବାନଙ୍କ ମୃତ୍ୟୁ ହୋଇଛି । ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଦୁର୍ଘଟଣାରେ ସିଏଏଫ୍ର ଜଣେ ଯବାନଙ୍କ ସହ ଗାଡ଼ି ଚାଳକ ଆହତ ହୋଇଛନ୍ତି ।
ବଳରାମପୁର ଜିଲ୍ଲାର ପୋଲିସ ଅଧୀକ୍ଷକ ଲାଲ ଉମ୍ମେଦ ସିଂ କହିଛନ୍ତି ଯେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଝାଡ଼ଖଣ୍ଡ ରାଜ୍ୟ ସୀମାବର୍ତ୍ତୀ ପୁନ୍ଦାଙ୍ଗ ଏବଂ ଭୁଟାହି ଗ୍ରାମ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଉମ୍ମେଦ ସିଂ କହିଛନ୍ତି, ସିଏଏଫ୍ର ଦଶମ ବାଟାଲିୟନର ‘ଡି’ କମ୍ପାନୀକୁ ଜିଲ୍ଲାର ରାମଚନ୍ଦ୍ରପୁରରୁ ପୁନ୍ଦାଙ୍ଗ ସ୍ଥାନାନ୍ତର କରାଯାଇଛି । ଏହି ସ୍ଥାନାନ୍ତରୀଣ ପ୍ରକ୍ରିୟାରେ ବସ୍ ଓ ଟ୍ରକ୍ ଯୋଗେ ସୁରକ୍ଷା କର୍ମୀ, ଜିନିଷପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଶିବିରର ନୂତନ ସ୍ଥାନକୁ ପରିବହନ କରାଯାଉଥିଲା ।
ଯେତେବେଳେ ଶିବିର ସ୍ଥାନାନ୍ତରୀଣ ପ୍ରକ୍ରିୟା ଚାଲିଥିଲା, ସେତେବେଳେ ପରିବହନରେ ନିୟୋଜିତ ଏକ ବଡ଼ ଟ୍ରକ୍ ବନ୍ଦରଚୁଆ ଗାଁରୁ ଆଉ ଆଗକୁ ଯାଇପାରି ନ ଥିଲା । ଫଳରେ ଟ୍ରକରେ ଲୋଡ୍ ହୋଇଥିବା ସାମଗ୍ରୀକୁ ଶିବିରସ୍ଥଳକୁ ପରିବହନ ନିମନ୍ତେ ଏକ ଛୋଟ ମାଲ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା ।
ଥରେ ସାମଗ୍ରୀ ପରିବହନ ପରେ ଯେତେବେଳେ ଗାଡ଼ି ଦ୍ୱିତୀୟ ଥର ପାଇଁ ସାମଗ୍ରୀ ନେଇ ଯାଉଥିଲା, ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଚାଳକ ପାହାଡ଼ ମୋଡରେ ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ଗାଡିଟି ଖାଇରେ ଖସିପଡ଼ି ଏକ ଗଛରେ ପିଟି ହୋଇ ଯାଇଥିଲା ।
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଏହି ଦୁର୍ଘଟଣାରେ ଉତ୍ତର ପ୍ରଦେଶ ନିବାସୀ ହାବିଲଦାର ଫତେହ ବାହାଦୂର ଏବଂ ଛତିଶଗଡର ସରଗୁଜା ଜିଲ୍ଲାର ନିବାସୀ ଆରକ୍ଷକ ନାରାୟଣ ପ୍ରସାଦଙ୍କ ମୃତ୍ୟୁ ହୋଇଛି । ଏଥିରେ କନଷ୍ଟେବଳ ପ୍ରତାପ ସିଂ ଓ ଗାଡ଼ି ଚାଳକ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।