ଦୁବାଇରୁ ଆଣିଥିଲେ ମଦ, ବିମାନରେ ବସି ପିଇଲେ; ମନା କରିବାରୁ ସହଯାତ୍ରୀଙ୍କୁ ଧୁମ୍‌ କଲେ ଗାଳି

ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନରେ ଦୁଇ ଯାତ୍ରୀ ମଦ ପିଇ ହଙ୍ଗାମା ସୃଷ୍ଟି କରିଛନ୍ତି। ବିମାନରେ ମଦ ପିଇବାକୁ ବାରଣ କରିବାରୁ ସେମାନେ କ୍ରୁ ଏବଂ ସହଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ବିମାନରେ ନିଶାସକ୍ତ ଯାତ୍ରୀଙ୍କ ଦ୍ୱାରା ଅନ୍ୟ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ଅସଦାଚରଣ ମାମଲା କ୍ରମାଗତ ସାମ୍ନାକୁ ଆସୁଛି। ବୁଧବାର ଏମିତି ହିଁ ଏକ ଘଟଣା ଘଟିଛି ମୁମ୍ବାଇରେ। ଏଠାରେ ନିଶାରେ ଚୁର୍‌ ଦୁଇ ଯାତ୍ରୀ ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନରେ ହଙ୍ଗାମା ସୃଷ୍ଟି କରିଛନ୍ତି। ଦୁହେଁ କ୍ରୁ ଏବଂ ସହଯାତ୍ରୀଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି।

ପୋଲିସ ସୂଚନା ଅନୁସାରେ, ଏୟାରଲାଇନ୍ସ କର୍ମଚାରୀଙ୍କ ଦ୍ୱାରା ଅଭିଯୋଗ ପରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଏଥିରେ କୁହାଯାଇଛି କି, ନାଲାସୋପାରାର ଜନ୍ ଜି ଡିସୁଜା ଏବଂ କୋହ୍ଲାପୁରର ଦତ୍ତାତ୍ରେୟ ବାପରଦେକର ସେମାନଙ୍କ ସହ ଡ୍ୟୁଟି ଫ୍ରି ମଦ କିଣି ଆଣିଥିଲେ। ଭାରତ ଫେରିବାର ଉତ୍ସବ ପାଳନ କରିବାକୁ ଯାଇ ଉଭୟେ ବିମାନରେ ହିଁ ପାଖାପାଖି ଅଧା ବୋତଲ ପିଇ ସାରିଥିଲେ।

ଏକ ରିପୋର୍ଟ ମୁତାବକ, ଉଭୟ ଯାତ୍ରୀ ଦୁବାଇରେ ଏକ ବର୍ଷ ରହି କାର୍ଯ୍ୟ କରୁଥିଲେ। ଭାରତ ଫେରିବାର ଉତ୍ସବ ପାଳନ ଚକ୍କରରେ ସେମାନେ ସହଯାତ୍ରୀଙ୍କୁ ଅସଦାଚରଣ କରିଥିଲେ। ବିମାନରେ ଅସଦାଚରଣ କରିବାର ଏହା ହେଉଛି ସପ୍ତମ ମାମଲା। ପରିସ୍ରା ମାମଲା ପରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି।

ତେବେ ପୋଲିସ ସୂଚନା ଅନୁସାରେ, ଇଣ୍ଡିଗୋ ଏୟାରଲାଇନ୍ସର ଦୁବାଇ-ମୁମ୍ବାଇ ବିମାନରେ ଆସୁଥିବା ଉଭୟ ଯାତ୍ରୀଙ୍କୁ ବୁଧବାର ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଆଇପିସି ଧାରା ୩୩୬ ଏବଂ ଏୟାରକ୍ରାଫ୍ଟ ସହ ଜଡ଼ିତ ଅନ୍ୟାନ୍ୟ ଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପୋଲିସର କହିବା ହେଲା, ଦୁଇ ବ୍ୟକ୍ତିଙ୍କ ସହ ବସିଥିବା ଅନ୍ୟ ଯାତ୍ରୀମାନେ ଯେତେବେଳେ ସେମାନଙ୍କୁ ବାରମ୍ବାର ମଦ ପିଇବାକୁ ମନା କରିଥିଲେ, ତ ସେମାନେ ଯାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ।