ହାଥରସ୍‌: ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ଟ୍ରକ୍‌ ସହ ପିଟି ହେଲା ଯାତ୍ରୀବାହୀ ବସ୍‌; ୨ ମୃତ, ୧୬ ଆହତ

ଉତ୍ତର ପ୍ରଦେଶର ହାଥରସ୍‌ରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ସକାଳେ ଏଠାରେ ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ଟ୍ରକ୍‌ ସହ ଏକ ଡବଲ-ଡେକର ବସ୍‌ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବହୁ ଦୂର ପର୍ଯ୍ୟନ୍ତ ଶବ୍ଦ ଶୁଣାଯାଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି ।

ସକାଳ ସାଢ଼େ ୫ଟାରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଯାଇଛି । ସୂଚନା ଅନୁସାରେ, ଗୁରୁବାର ସକାଳେ ଚଣ୍ଡୀଗଡ଼ରୁ ଉନ୍ନାଓର ବାଙ୍ଗରମଉ ଯାଉଥିବା ଏକ ଘରୋଇ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ବସ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ସିକନ୍ଦରା ରାଓ ଅଞ୍ଚଳରେ ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ଟ୍ରକ୍‌କୁ ଜୋର୍‌ରେ ଧକ୍କା ଦେଇଥିଲା ।

ଦୁର୍ଘଟଣା ସମୟରେ ଯାତ୍ରୀମାନେ ଅଧା ନିଦରେ ଥିଲେ । ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଣି ସେମାନଙ୍କ ନିଦ ଭାଙ୍ଗିଯାଇଥିଲା । ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ଦେଖି ଯାତ୍ରୀମାନେ ଭୟରେ ଚିତ୍କାର କରିବାକୁ ଲାଗିଥିଲେ । ଦୁର୍ଘଟଣା ପରେ ଆଖାପାଖର ଲୋକମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ଏବଂ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚିଥିଲା । ପୋଲିସ ଏବଂ ପ୍ରଶାସନିକ ଟିମ୍‌ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବସ୍‌ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଆହତମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଅଲିଗଡ଼ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏହିପରି ଅନ୍ୟ ୯ ଜଣଙ୍କର ହାଥରସ୍‌ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି । ପୋଲିସ ମୃତଦେହଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

You might also like