ବେଙ୍ଗାଲୁରୁରେ ବିସ୍ଫୋରଣ, ୨ ଆହତ; ତଦନ୍ତ କରୁଛି NIA ଟିମ୍‌

ବେଙ୍ଗାଲୁରୁର ଜେପି ନଗରରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ଏନ୍‌ଆଇଏ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ କମିଶନର କହିଛନ୍ତି ଯେ ଏହା କୌଣସି ଆଇଇଡି ବିସ୍ଫୋରଣ ନୁହେଁ । ପ୍ରେସର କୁକର୍‌ରେ ବ୍ଲାଷ୍ଟ୍‍ ହୋଇଛି । ଏନ୍‌ଆଇଏର ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

କମିଶନର କହିଛନ୍ତି, ଆମେ ସ୍ପଷ୍ଟ ଫୁଟେଜ୍‌ ଖୋଜୁଛୁ । ଦୁର୍ଘଟଣାରେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ନାମ ସମୀର ଓ ମୋହସିନ୍‌ ବୋଲି ଜଣାପଡ଼ିଛି । ସକାଳ ୧୦ଟା ବେଳେ ଏହି ଘଟଣା ଘଟିଛି । ଆହତ ଦୁଇ ବ୍ୟକ୍ତି ହେଉଛନ୍ତି ଉତ୍ତର ପ୍ରଦେଶର ବାସିନ୍ଦା ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଜିନିଷପତ୍ରଗୁଡ଼ିକ ଏଣେତେଣେ ବିଚ୍ଛୁରିତ ହୋଇଯାଇଥିଲା । ବେଙ୍ଗାଲୁରୁର ବରିଷ୍ଠ ଆଇପିଏସ୍‌ ଅଧିକାରୀ କହିଛନ୍ତି, ଆମେ ପ୍ରତ୍ୟେକ ଦିଗରୁ ଯାଞ୍ଚ କରିଛୁ । ସେହି ଆଧାରରେ କୌଣସି ବିସ୍ଫୋରକ ବ୍ୟବହାରକୁ ଆମେ ଖାରଜ କରୁଛୁ । ଆମକୁ କୌଣସି ପ୍ରମାଣ ମଧ୍ୟ ମିଳିନାହିଁ । ଏହା ପ୍ରେସର କୁକର୍‌ ବିସ୍ଫୋରଣ । ଏଥିରେ ଆହତ ଦୁଇ ଯୁବକ ସେଲୁନ ଚଳାଉଥିଲେ । ଏନ୍‌ଆଇଏ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।