ୟୁପି: ଭଜା ବୁଟ ଖାଇ ଚାଲିଗଲା ଜେଜେ ଓ ନାତିଙ୍କ ଜୀବନ, ପରିବାରର ଅନ୍ୟ ଦୁଇ ଗୁରୁତର

ୟୁପିର ବୁଲନ୍ଦସହରରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଏଠାରେ ଭଜା ବୁଟ ଖାଇ ପରିବାରର ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ପରେ ଚିକିତ୍ସା ସମୟରେ ଜେଜେ ଓ ନାତିଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଦୌଲତପୁରର ଏକ ଦୋକାନରୁ ଜେଜେ ଭଜା ବୁଟ କିଣି ଘରକୁ ଆଣିଥିଲେ, ଯାହାକୁ ଖାଇବା ପରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ।

ବାକି ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ମାମଲା ନରସୈନା ଥାନା ଅଧୀନ ବରୱାଲା ଗାଁର ବୋଲି ଜଣାପଡ଼ିଛି । ବୁଲନ୍ଦସହରର ଖାଦ୍ୟ ସୁରକ୍ଷା କମିଶନର ବିପିନ୍ କୁମାର ଏହି ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି ।

ସେପଟେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଖାଦ୍ୟ ବିଭାଗ ଟିମ୍ ଏବଂ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ରହିଛି, ବରୱାଲା ଗାଁର କଲୁଆ ରବିବାର ଦୌଲତପୁରରୁ କିଛି ଭଜା ବୁଟ ନେଇ ଘରକୁ ଆସିଥିଲେ । ଏହାପରେ ପରିବାର ଲୋକେ ରାତିରେ ଏହାକୁ ଖାଇଥିଲେ । ହେଲେ ଖାଇ ସାରିବା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ପେଟ ଯନ୍ତ୍ରଣା ସହ ବାନ୍ତି ମଧ୍ୟ ହୋଇଥିଲା । ଗ୍ରାମବାସୀ ପହଞ୍ଚି ତୁରନ୍ତ ସେମାନଙ୍କୁ ପାଖ ଡାକ୍ତରଖାନା ନେଇଯାଇଥିଲେ । ହେଲେ ସେଠାରେ କଲୁଆ ଏବଂ ତାଙ୍କ ନାତିଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା ।

ଖାଦ୍ୟ ସୁରକ୍ଷା କମିଶନର କହିଛନ୍ତି, ମାମଲାର ତଦନ୍ତ ପାଇଁ ଘଟଣାସ୍ଥଳକୁ ଏକ ଟିମ୍ ପଠାଯାଇଛି । କେଉଁଠାରୁ ଭଜା ବୁଟ କିଣାଯାଇଥିଲା ଏବଂ କେଉଁ କାରଣରୁ ମୃତ୍ୟୁ ହେଲା, ତାହା ଯାଞ୍ଚ କରାଯାଉଛି ।

You might also like