ଇଟାଲୀର ଦକ୍ଷିଣ ସମୁଦ୍ର ଉପକୂଳରେ ଦୁଇଟି ବୋଟ୍ ବୁଡ଼ିଯାଇଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୨୬ ଜଣ ପିଲା ମଧ୍ୟ ଅଛନ୍ତି । ସମସ୍ତେ ପ୍ରବାସୀ ଥିଲେ । ତଟରକ୍ଷୀ ଅଧିକାରୀ ଏବଂ ମିଳିତ ଜାତିସଂଘ ଏଜେନ୍ସି ଏହି ସୂଚନା ଦେଇଛନ୍ତି । ଗୋଟିଏ ବୋଟ୍ ଲିବିଆରୁ ବାହାରିଥିବା ବେଳେ ଅନ୍ୟଟି ତୁର୍କୀରୁ ବାହାରିଥିଲା । ଏଥିରେ ବାଂଲାଦେଶ, ପାକିସ୍ତାନ, ଆଫ୍ଗାନିସ୍ତାନ, ଇଜିପ୍ଟ ଏବଂ ସିରିଆର ଲୋକ ଥିଲେ ।
ନାଦିର ରେସ୍କ୍ୟୁ ବୋଟ୍ ସଞ୍ଚାଳନ କରୁଥିବା ଜର୍ମାନ ସହାୟତା ଗୋଷ୍ଠୀ ‘ରେସ୍କଶିପ୍’ ରିପୋର୍ଟ କରିଛି ଯେ ଏହା ବୁଡ଼ି ଯାଉଥିବା କାଠ ବୋଟ୍ରୁ ୫୧ ଜଣଙ୍କୁ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରୁ ଦୁଇଜଣ ଚେତାଶୂନ୍ୟ ଅବସ୍ଥାରେ ଥିଲେ । ବୋଟ୍ର ତଳ ଡେକ୍ରେ ୧୦ଟି ମୃତଦେହ ଫସି ରହିଥିବା ଦେଖିବାକୁ ମିଳିଥିଲା । ରେସ୍କଶିପ୍ କହିଛି କି, ଜୀବିତ ଲୋକମାନଙ୍କୁ ଇଟାଲୀ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରାଯାଇଛି ।
ଦ୍ୱିତୀୟ ବୋଟ୍ ଦୁର୍ଘଟଣା ଇଟାଲୀର କାଲାବ୍ରିୟାର ପ୍ରାୟ ୨୦୦ କିଲୋମିଟର ପୂର୍ବରେ ଘଟିଥିଲା । ଏହି ବୋଟ୍ ତୁର୍କୀରୁ ଛାଡ଼ିଥିଲା । ହେଲେ କୌଣସି ମତେ ଏଥିରେ ନିଆଁ ଲାଗିଯିବାରୁ ଏହା ସମୁଦ୍ରରେ ବୁଡ଼ି ଯାଇଥିଲା । ଦୁର୍ଘଟଣାରେ ୬୬ ଜଣ ଲୋକ ନିଖୋଜ ଅଛନ୍ତି । ଜଣେ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ୧୧ ଜଣଙ୍କୁ ଇଟାଲୀ ତଟରକ୍ଷୀ ବାହିନୀ ଉଦ୍ଧାର କରିଛନ୍ତି ।
ରିପୋର୍ଟ ମୁତାବକ, ଆଫଗାନିସ୍ତାନରୁ ଆସିଥିବା ଏକ ପୂରା ପରିବାରର ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଏହି ପରିବାର ଆଠ ଦିନ ପୂର୍ବରୁ ତୁର୍କୀ ଛାଡିଥିଲେ । ସେମାନଙ୍କ ପାଖରେ ଲାଇଫ୍ ଜ୍ୟାକେଟ୍ ମଧ୍ୟ ନ ଥିଲା ।
ଜାତିସଂଘ ଏଜେନ୍ସି କହିଛି ଯେ ଦ୍ୱିତୀୟ ବୋଟ୍ ଦୁର୍ଘଟଣାରେ ଫସି ରହିଥିବା ପ୍ରବାସୀମାନେ ଇରାନ, ସିରିଆ ଏବଂ ଇରାକର ଲୋକ ଥିଲେ । ଭୂମଧ୍ୟସାଗରର ଏହି ଜଳପଥ ଦୁନିଆର ସବୁଠୁ ବିପଜ୍ଜନକ ସ୍ଥାନାନ୍ତରଣ ମାର୍ଗରେ ପରିଣତ ହୋଇଛି ।