ରାଜସ୍ଥାନ: ବିକାନେର୍ ଫାୟାରିଂ ରେଞ୍ଜରେ ବଡ଼ ବିସ୍ଫୋରଣ, ୨ ଯବାନଙ୍କ ମୃତ୍ୟୁ, ଜଣେ ଆହତ
ରାଜସ୍ଥାନର ବିକାନେରରେ ମହାଜନ ଫାୟାରିଂ ରେଞ୍ଜରେ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ବୁଧବାର ଟ୍ରେନିଂ ସମୟରେ ଏକ ବିସ୍ଫୋରଣ ଘଟି ସେନାର ୨ ଯବାନଙ୍କ ମୃତ୍ୟୁ ହୋଇଛି । ଟ୍ୟାଙ୍କରେ ଗୋଳା ବାରୁଦ ଲୋଡ୍ କରିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ଯବାନ ଆହତ ହେବାର ମଧ୍ୟ ଖବର ରହିଛି ।
କୁହାଯାଉଛି ଯେ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ ନିଆଯାଇଛି । ଏହା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ପାର୍ଥିବ ଶରୀରକୁ ସୁରତଗଡ଼ ମିଲିଟାରୀ ଷ୍ଟେସନ ନିଆଯାଇଛି । ମହାଜନ ଫାୟାରିଂ ରେଞ୍ଜରେ ୪ ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ଦୁର୍ଘଟଣା ।
ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ପ୍ରବକ୍ତା ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି ଯେ ଯେତେ ବେଳେ ସୈନିକମାନେ ଟ୍ୟାଙ୍କରେ ଗୋଳା ବାରୁଦ ଲୋଡ୍ କରୁଥିଲେ, ସେହି ସମୟରେ ଚାର୍ଜର ବିସ୍ଫୋରଣ ହୋଇଥିଲା । ସେ କହିଛନ୍ତି, ଏହି ଘଟଣାରେ ଦୁଇ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।
ବିସ୍ଫୋରଣ ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯବାନ ହେଲେ, ଆଶୁତୋଷ ମିଶ୍ରା ଓ ଜିତେନ୍ଦ୍ର ।