ଆଡମିଟ୍ କାର୍ଡ ଆଣିବାକୁ ଯାଉଥିଲେ, ଦେଇଥାନ୍ତେ ବୋର୍ଡ ପରୀକ୍ଷା…, ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଛାତ୍ର ଦୁଇ ଜଣ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଆଣିବାକୁ ଯାଉଥିଲେ । ମୃତକମାନେ ହେଲେ, ରାମିଆପୁର ଗାଁର ଅର୍ଜୁନ (୧୫) ଓ ମନୋଜ (୧୬) ।
ରିପୋର୍ଟ ମୁତାବକ, ଉଭୟ ଛାତ୍ର ସେମାନଙ୍କର ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ ଆଣିବା ପାଇଁ ଏକ ବାଇକରେ ଯାଉଥିଲେ । ଏହି ସମୟରେ ହଠାତ୍ ଦୁର୍ଘଟଣା ଘଟିଥିଲା । ଅତିରିକ୍ତ ପୋଲିସ ଅଧୀକ୍ଷକ (ଉତ୍ତର) ମୁକେଶ ଚନ୍ଦ୍ର ମିଶ୍ରା କହିଛନ୍ତି, ଏହି ଦୁର୍ଘଟଣା ଅଗ୍ରସ୍ ରୋଡ୍ ନିକଟ ରାମିଆପୁର ଗାଁରେ ଘଟିଛି ।
ବିବାହ ଉତ୍ସବରୁ ଫେରୁଥିବା ଏକ ସ୍କୁଲ ବସ୍ ଛାତ୍ରମାନଙ୍କ ବାଇକ୍କୁ ଜୋରରେ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ଛାତ୍ରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଭୋଜିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଜବତ କରିଛି ।
ଜଣେ ପୋଲିସ ଅଧିକାରୀ କହିଛନ୍ତି, ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର୍ ଅଛନ୍ତି ଏବଂ ତାଙ୍କୁ ଖୋଜା ଚାଲିଛି । ଆମେ ବସଟିକୁ ଜବତ କରିଛୁ । ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।
ସେପଟେ ଏହି ଦୁର୍ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମୃତ ଛାତ୍ର ଦ୍ୱୟଙ୍କ ପରିବାରକୁ ସୂଚନା ଦିଆଯାଇଛି । ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାର ତଦନ୍ତ କରାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସ୍କୁଲ ବସ୍ ଦ୍ରୁତ ଗତିରେ ଆସୁଥିଲା । ବସ୍ ଡ୍ରାଇଭରଙ୍କ ପାଖରେ ପରମିଟ୍ ଏବଂ କାଗଜପତ୍ର ଥିଲା କି ନାହିଁ, ସେ ନେଇ ପୋଲିସ ତଦନ୍ତ କରୁଛି ।
ଆହୁରି ପଢ଼ନ୍ତୁ: ଗୁଜରାଟର କଚ୍ଛରେ ଭୀଷଣ ଦୁର୍ଘଟଣା, ବସ୍-ଟ୍ରକ୍ ଧକ୍କାରେ ୭ ଜଣଙ୍କ ମୃତ୍ୟୁ