ଜମ୍ମୁ-କାଶ୍ମୀର: ବାରାମୂଳାରେ ସୁରକ୍ଷା ବାହିନୀ ଗୁଳିରେ ଟଳିଲେ ୨ ଆତଙ୍କୀ, ଅପରେସନ ଜାରି

ଉତ୍ତର କାଶ୍ମୀରର ବାରାମୂଳା ଜିଲ୍ଲାର ହାଦିପୋରା ସୋପୋର ଅଞ୍ଚଳରେ ବୁଧବାର ସୁରକ୍ଷା ବାହିନୀ ଗୁଳିରେ ୨ ଆତଙ୍କୀ ସଫା ହୋଇଛନ୍ତି । ଏଠାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସେନା ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ପାଲଟା ଆକ୍ରମଣରେ ଜଣେ ପୋଲିସ କର୍ମୀ ଏବଂ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଅପରେସନ ଏବେ ବି ଜାରି ରହିଛି ।
ଉତ୍ତର କାଶ୍ମୀରର ସୋପୋରରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବାର ଖବର ରହିଛି । ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ନିହତ ୨ ଆତଙ୍କୀଙ୍କ ପରିଚୟ ଏ ଯାଏ ଜଣାପଡ଼ି ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଉପସ୍ଥିତି ଖବର ମିଳିବା ପରେ ସୁରକ୍ଷା ବାହିନୀ ରବିବାର ରାତିରେ ଜିଲ୍ଲାର ଅରାଗାମ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିବା ପରେ ଉଭୟ ପଟୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ମୃତ ଆତଙ୍କବାଦୀ ଦ୍ୱୟଙ୍କ ପରିଚୟ ଜଣାପଡ଼ି ନାହିଁ ।
ଏହା ପୂର୍ବରୁ ସୋମବାର ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଏନ୍କାଉଣ୍ଟରରେ ସୁରକ୍ଷା ବାହିନୀ ଜଣେ ଆତଙ୍କୀଙ୍କୁ ନିପାତ କରିଥିଲେ । ଏଠାରେ ଦୁଇ ଆତଙ୍କବାଦୀ ଲୁଚିଥିବାର ଖବର ମିଳିବା ପରେ ସୁରକ୍ଷା ବାହିନୀ ଅପରେସନ ଚଳାଇଥିଲେ । ବାନ୍ଦିପୋରାର ଅରାଗମ୍ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ସୁରକ୍ଷା କର୍ମୀମାନେ ଉକ୍ତ ଅଞ୍ଚଳକୁ ଚାରିପଟୁ ଘେରିଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଡ୍ରୋନ୍ ଜରିଆରେ ଆତଙ୍କୀଙ୍କ ମୃତଦେହ ଠାବ ହୋଇଥିଲା । ନିହତ ଆତଙ୍କୀଙ୍କ ହାତରେ ଏକ ଏମ୍୪ ରାଇଫଲ୍ ଥିଲା ।