ଜମ୍ମୁ-କାଶ୍ମୀର: ସେନା ଗୁଳିରେ ଟଳି ପଡ଼ିଲେ ଜୈସ୍‌-ଏ-ମହମ୍ମଦର ୨ ସଶସ୍ତ୍ର ଆତଙ୍କବାଦୀ

ଜମ୍ମୁ-କାଶ୍ମୀରର ଉଧମପୁର ବସନ୍ତଗଡ ଅଞ୍ଚଳରେ ବୁଧବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଅଞ୍ଚଳରେ ଜୈସ୍‌-ଏ-ମହମ୍ମଦ ଆତଙ୍କୀ ଗୋଷ୍ଠୀର ୪ ଜଣ ସଶସ୍ତ୍ର ଆତଙ୍କବାଦୀ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷା ବାହିନୀ ଘେରି ରହିଛନ୍ତି । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୨ ଆତଙ୍କୀଙ୍କୁ ନିପାତ କରିଥିବା ସୂଚନା ରହିଛି ।

ଏନକାଉଣ୍ଟରର କିଛି ସମୟ ପୂର୍ବରୁ ପ୍ରତିରକ୍ଷା ପ୍ରବକ୍ତା ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସ୍ୱତନ୍ତ୍ର ଗୁଇନ୍ଦା ସୂଚନା ଆଧାରରେ କଠୁଆରେ ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । କଠୁଆ-ବସନ୍ତଗଡ ସୀମାରେ ଆତଙ୍କବାଦୀମାନଙ୍କୁ ଘେରି ନିଆଯାଇଛି । ଏହି ଅଞ୍ଚଳକୁ କର୍ଡନ କରାଯାଇଥିବା ବେଳେ ଉଭୟ ପାର୍ଶ୍ୱରୁ କିଛି ରାଉଣ୍ଡ ଗୁଳି ବିନିମୟ ମଧ୍ୟ ହୋଇଛି ।

କହି ରଖୁଛୁ, ଜମ୍ମୁ-କାଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ହେତୁ ହଠାତ୍ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଯାଇଛି । ଏଠାରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୮, ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ ଏବଂ ତୃତୀୟ ପର୍ଯ୍ୟାୟ ଅକ୍ଟୋବର ୧ରେ ହେବ ।

ଗୁଇନ୍ଦା ଏଜେନ୍ସିମାନଙ୍କୁ ରାଜ୍ୟର ଅନେକ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ମିଳିଛି । ଜମ୍ମୁ-କାଶ୍ମୀର ନିର୍ବାଚନ ଏବଂ କୈଳାଶ କୁଣ୍ଡ ଯାତ୍ରାରେ ଆକ୍ରମଣ ହେବାର ଆଶଙ୍କା ଦେଖାଦେଇଛି । ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଏବଂ ପୋଲିସ ଠିକଣା ଉପରେ ମଧ୍ୟ ଆକ୍ରମଣ କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like