୨୫ଫୁଟ୍ ବୋରୱେଲ୍ ଭିତରେ ୨ବର୍ଷର ଶିଶୁ, ୧୫ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା କରାଯାଇପାରିନି ଉଦ୍ଧାର

ତାମିଲନାଡୁ: ତିରୁଚିରାପଲ୍ଲୀ ଜିଲ୍ଲାର ନାଡୁକଟଟୁପଟ୍ଟୀରେ ଶୁକ୍ରବାର ଏକ ୨ବର୍ଷର ଶିଶୁ ପୁତ୍ରଟି ପାଖାପାଖି ୨୫ଫୁଟ୍ ବୋରୱେଲ୍ ଭିତରେ ଖସିପଡିଥିବା ଖବର ସାମ୍ନାକୁ ଆସିଛି । କିନ୍ତୁ ଦୁଃଖର କଥା ଘଟଣାକୁ ୧୫ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଶିଶୁଟିକୁ ଉଦ୍ଧାର କରାଯାପାରିନାହିଁ । ୨ବର୍ଷର ସୁଜିତ୍ ଓ୍ୱିଲସନକୁ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଛି ।
ଏନେଇ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ପ୍ରଥମେ ବୋରୱେଲ ପାଖ ମାଟିକୁ ଖୋଳିଥିଲେ ଏବଂ ସୁଜିତ୍ ପାଖରେ ପହଁଚିବା ପାଇଁ ଏକ ସୁଡଙ୍ଗ ତିଆରି କରିଥିଲେ। ଯାହା ବିଫଳ ହେବା ପରେ ପୁଣି ନୂଆ ଉପାୟ ପ୍ରସ୍ତୁତ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ବସକର,ପର୍ଯ୍ୟଟନ ମନ୍ତ୍ରୀ ବଲାମଣ୍ଡି ନଟରାଜ ଏବଂ ସଂଖ୍ୟାଲଘୁ ଓ ବିକାଶ ମନ୍ତ୍ରୀ ଭଲାରମଥି ଘଟଣାସ୍ଥଳରେ ଉପସ୍ଥିତ ରଖି ସମସ୍ତ କାର୍ଯ୍ୟକୁ ତଦାରଖ କରୁଛନ୍ତି ।
ଏହାସହ ପଢନ୍ତୁ:
ମା’ ପକ୍ଷୀର ସାହସ ଓ ଆତ୍ମବିଶ୍ବାସ ଯାହା ବଞ୍ଚାଇପାରିଲା ନିଜ ଛୁଆକୁ, ଥରେ ଦେଖନ୍ତୁ ଏହି ଭିଡିଓ
ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଶିଶୁଟିକୁ ଉଦ୍ଧାର କରିବା ପାଇଁ ପଡୋଶୀ ଜିଲ୍ଲାରୁ ବିଶେଷଜ୍ଞ ଦଳ ଆସିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି, ଶିଶୁଟିର ନିଶ୍ବାସକୁ ଏକ ମାଇକ୍ରୋ କ୍ୟାମେରାରେ ଶୁଣାଯାଉଛି । ବୋରୱେଲ ବାହାରେ ଡାକ୍ତରୀ ଦଳ ଉପସ୍ଥିତ ରହି ଗାତ ଭିତରକୁ ଅକ୍ସିଜେନ୍ ପ୍ରଦାନ କରୁଛନ୍ତି । ଛୁଆଟି ଏଯାଏଁ ନିଶ୍ବାସ ପ୍ରଶ୍ବାସ ଠିକ୍ ଭାବେ ନେଉଥିବା ଜଣାପଡିଛି । ଖବର ମୁତାବକ ଗତକାଲି ସଂଧ୍ୟା ୫ଟା ବେଳେ ଛୁଆଟି ନିଜ ଘର ବାହାରେ ଖେଳୁଥିବା ସମୟରେ ଗଭୀର ଗାତ ଭିତରେ ପଡିଯାଇଥିଲା । ତେବେ ଉଦ୍ଧାର ପାଇଁ ତାମିଲନାଡୁ ସରକାରଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।