ବୋରୱେଲରୁ ଉଦ୍ଧାର ହୋଇଛି ନୀରୁ । ୧୮ ଘଣ୍ଟା ପରେ ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର । NDRF ଓ SDRF ଟିମ୍ ଦୀର୍ଘ ୧୮ ଘଣ୍ଟା ଧରି ପରିଶ୍ରମ କରିବା ପରେ ଅଢ଼େଇ ବର୍ଷର ଶିଶୁକନ୍ୟା ଉଦ୍ଧାର ହୋଇଛି । ସୁରକ୍ଷିତ ଭାବେ ଉଦ୍ଧାର ପରେ ଶିଶୁ କନ୍ୟାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋରୱେଲ ପାଖରେ ସମାନ୍ତରାଳ ଭାବେ ଆଉ ଏକ ଗର୍ତ୍ତ ଖୋଳି ଉଦ୍ଧାର କରାଯାଇଥିଲା ।
ସ୍ବତନ୍ତ୍ର କ୍ୟାମରୋ ଜରିଆରେ ଶିଶୁଟିର ଗତିବିଧି ଉପରେ ନଜର ରଖିଥିଲା ଉଦ୍ଧାରକାରୀ ଦଳ । ଗତକାଲି ରାତିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଡାକ୍ତରୀ ଟିମ୍ ପହଞ୍ଚି ପାଇପ୍ ଯୋଗେ ବୋରୱେଲ ଭିତରକୁ ଅକ୍ସିଜେନ ଯୋଗାଣ କରିଥିଲେ । ଆଜି ସକାଳେ ପିଲାଟିକୁ ପାଣି ପଠାଯାଇଥିଲା । ପିଲାଟି ଉଦ୍ଧାର ପରେ ଭୟଭୀତ ନଜର ଆସୁଥିଲା । ତେବେ ପିଲାଟି ମା’ର କଥା ଶୁଣି ଦମ୍ଭ ଧରିଥିଲା । ତୁରନ୍ତ ପିଲାଟିକୁ ହସିପଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ରାଜସ୍ଥାନ ଦଉସା ବନ୍ଦିକୁଇ ଅଞ୍ଚଳରେ ଗତକାଲି ଶିଶୁକନ୍ୟାଟି ଖେଳିବା ବେଳେ ଅଘଟଣ ଘଟିଥିଲା । ବୁଧବାର ୨ ବର୍ଷର କୁନି ଝିଅ ନୀରୁ ଘର ପାଖରେ ଖେଳୁଥିବା ବେଳେ ବୋରଓ୍ୱେଲ ଭିତରକୁ ଖସି ପଡିଥିଲା । ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅଟି ବୋରଓ୍ୱେଲରେ ଖସିପଡିଥିଲା ଜାଣିବାକୁ ପାଇଥିଲେ । ଏହାପରେ ଖବର ପାଇ ପ୍ରଶାସନ, ଏସ୍ଡିଆର୍ ଓ ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାଯ୍ୟ ଆରମ୍ଭ କରିଥିଲେ ।