ବିହାର: ବିଷାକ୍ତ ମଦ ନେଲା ୨୦ ଜୀବନ, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ

ବିହାରରେ ବିଷାକ୍ତ ମଦ ନେଲା ଜୀବନ । ରାଜ୍ୟର ସିଓ୍ୱାନ ଓ ଛପରାରେ ବିଷାକ୍ତ ମଦ ପିଇ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସିଭିଲ୍ ସର୍ଜନଙ୍କ ଦ୍ୱାରା ଜାରି ରିପୋର୍ଟ ମୁତାବକ, ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଛପରାର ଅଛନ୍ତି ୮ ଜଣ । ଏହି ଲୋକମାନେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା ।
ଏ ନେଇ ସିଓ୍ୱାନର ଜିଲ୍ଲା ଅଧିକାରୀ ମୁକୁଲ କୁମାର ଗୁପ୍ତା କହିଛନ୍ତି, ମଗହର ଓ ଔରିଆ ପଞ୍ଚାୟତରେ ସନ୍ଦେହଜନକ ଭାବେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ବୁଧବାର ସକାଳ ସାଢ଼େ ୭ଟାରେ ଆମ ପାଖକୁ ଖବର ଆସିଥିଲା । ଏହାପରେ ଏକ ଟିମ୍କୁ ସେଠାକୁ ପଠାଯାଇଥିଲା ଏବଂ ଅନ୍ୟ ୧୨ ଜଣଙ୍କୁ ଚିକିତ୍ସା ପାଇଁ ପାଖ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ରାସ୍ତାରେ ହିଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।
ତେବେ ମଦଜନିତ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ସେପଟେ ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ମଗହର ଓ ଔରିଆ ପଞ୍ଚାୟତର ଦୁଇ ଚୌକିଦାରଙ୍କୁ ନିଲମ୍ବିତ କରିଛି । ବିଷାକ୍ତ ମଦ ପିଇବା କାରଣରୁ ବର୍ତ୍ତମାନ ଅନେକ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।