ଦିଲ୍ଲୀରେ ଝଡ଼ ତୋଫାନ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ, ଗଛ ଉପୁଡି କ୍ଷତିଗ୍ରସ୍ତ

ଝଡ଼ ତୋଫାନରେ ବେହାଲ ରାଜଧାନୀ ଦିଲ୍ଲୀ । ଗତକାଲି ସନ୍ଧ୍ୟା ୬ଟାରୁ ୮ଟା ମଧ୍ୟରେ ଅଚାନକ ଦିଲ୍ଳୀ-NCRରେ ପ୍ରବଳ ଝଡ଼ ତୋଫାନ ସୃଷ୍ଟି ହୋଇଥିଲା। ଫଳରେ ବେଶ୍ କିଛି ସମୟ ପାଇଁ ରାସ୍ତାଘାଟରୁ ଆରମ୍ଭ କରି ଦିଲ୍ଲୀ ବିମାନ ବନ୍ଦରରେ ଯାତାୟାତ ଠପ୍ ହୋଇ ଯାଇଥିଲା । ଖରାପ ପାଗ ଯୋଗୁଁ ଅନେକ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା । ପାଖାପାଖି ୨୦୦ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା । ଏହା ବ୍ୟତୀତ ୨୫ଟି ବିମାନକୁ ନିକଟସ୍ଥ ଏୟାରପୋର୍ଟକୁ ଲ୍ୟାଣ୍ଡ କରିବା ପାଇଁ କୁହାଯାଇଥିଲା । ପାଗରେ ଏଭଳି ପରିବର୍ତ୍ତନ ହେବା ନେଇ ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇ ଥିଲା ।

ଅନ୍ୟପକ୍ଷରେ ବିମାନ ଯାତ୍ରା ନେଇ ଅପଡେଟ ପାଇବା ପାଇଁ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଝଡ ତୋଫାନ ଯୋଗୁଁ ଦିଲ୍ଲୀ ଓ ଜୟପୁର ମଧ୍ୟରେ ଯାତାୟାତ ସମସ୍ୟା ଦେଖା ଦେଇଛି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଥିଲା। ସେହି ସମୟରେ ଜଣେ ବ୍ୟକ୍ତି ଏୟାରପୋର୍ଟର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଉଡ଼ାଣରେ ବିଳମ୍ବ ଯୋଗୁଁ ଏୟାରପୋର୍ଟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଭିଡ଼ ଯୋଗୁଁ ଲୋକେ ତଳେ ପଡ଼ି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ତେବେ ଏ ନେଇ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସୂଚନା ବା ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।

ଖବର ମୁତାବକ ଝଡ଼ ତୋଫାନରେ ଦିଲ୍ଲୀର ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହିତ ବିଦ୍ୟୁତ ତାର ମଧ୍ୟ ଛିଣ୍ଡି ଯାଇଥିଲା । ଦିଲ୍ଲୀର ୪ଟି ଅଞ୍ଚଳରେ ଗଛ ପଡିବା ନେଇ MCDଙ୍କୁ ସୂଚନା ମିଳିଥିଲା । ଅନେକ ଅଞ୍ଚଳର ବିଭିନ୍ନ ପ୍ରକାର କିଛି କ୍ଷତିଗ୍ରସ୍ତ ହୋଇଥିଲା । ତେବେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗକୁ ଶୀଘ୍ର ପୁନଃସ୍ଥାପିତ କରାଯାଇଥିଲା । କିଛି ସ୍ଥାନରେ ପୁନଃସ୍ଥାପିତ ପାଇଁ ପ୍ରୟାସ ଜାରି ରହିଛି। ଆଇଟିଓରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ଯାଇଥିଲା । ଯେଉଁଥି ପାଇଁ ଟ୍ରାଫିକରେ ସମସ୍ୟା ଉପୁଜି ଥିଲା ।

 

Also Read :ବିହାରରେ କାଳବୈଶାଖୀର ତାଣ୍ଡବ, ଗଲାଣି ୧୦୨ ଜଣଙ୍କ ଜୀବନ