ଶ୍ରୀଲଙ୍କାରେ ହାହାକାର…୧ ଲିଟର କ୍ଷୀର ପାଇଁ ଦେବାକୁ ପଡ଼ୁଛି ୨୦୦୦ ଟଙ୍କା, ୧୦୦ ଟଙ୍କାରେ କପେ ଚା’

ଭାରତର ପଡ଼େଶୀ ଦେଶ ଶ୍ରୀଲଙ୍କାରେ ହାହାକାର ସ୍ଥିତି। ହସ୍ପିଟାଲଗୁଡ଼ିକରେ ଔଷଧ ନ ଥିବାରୁ ଡାକ୍ତରମାନେ ରୋଗୀଙ୍କ ଅପରେଶନକୁ ରୋକି ଦେଇଛନ୍ତି। ପେଟ୍ରୋଲ ପମ୍ପ୍‌ରେ ଫୁଏଲ ପାଇଁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଛି। ସେପଟେ ଖାଦ୍ୟ ପଦାର୍ଥ ଜିନିଷ ଏତେ ମହଙ୍ଗା ହୋଇଯାଇଛି ଯେ ଲୋକେ ଭୋକରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ଏଠି ପେଟ୍ରୋଲଠାରୁ ବି ମହଙ୍ଗା ଦରରେ ବିକ୍ରି ହେଉଛି କ୍ଷୀର। ଏକ ମିଡିଆ ରିପୋର୍ଟ ମୁତାବକ, ୧ ଲିଟର କ୍ଷୀର ପାଇଁ ୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ କପେ ଚା’ର ଦାମ୍‌ ୧୦୦ ଟଙ୍କା ହୋଇଯାଇଛି। ସେହିପରି ଲଙ୍କା କିଲୋଗ୍ରାମ ପିଛା ୭୦୦ ଟଙ୍କାରେ ବିକ୍ରି ହେଉଛି। ୧ କିଲୋ ଆଳୁ ପାଇଁ ୨୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି। ସେପଟେ ବିଦ୍ୟୁତ୍‌ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି। ଅନେକ ସହରରେ ୧୨ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ୍‌ ହେଉଛି। ଏଭଳି ସ୍ଥିତିରେ ଭାରତ ତୁରନ୍ତ ଶ୍ରୀଲଙ୍କାକୁ ୧ ବିଲିୟନ ଡଲାରର ସହାୟତା କରିଛି।

ଶ୍ରୀଲଙ୍କା ଉପରେ ଅନେକ ଦେଶର ଋଣ ଭାର ରହିଛି। ଏଠାରେ ଜାନୁଆରୀରେ ବିଦେଶୀ ମୁଦ୍ରା ଭଣ୍ଡାର ୭୦ ପ୍ରତିଶତରୁ ଅଧିକ ହ୍ରାସ ପାଇ ୨.୩୬ ବିଲିୟନ ଡଲାର ହୋଇଯାଇଛି, ଯାହା ଲଗାତାର ଭାବରେ ହ୍ରାସ ପାଉଛି। ବିଦେଶୀ ମୁଦ୍ରାର ଅଭାବ ଯୋଗୁ ହିଁ ଦେଶରେ ଅଧିକାଂଶ ଜରୁରୀ ସାମଗ୍ରୀ, ଯେପରି ଔଷଧ, ପେଟ୍ରୋଲ-ଡିଜେଲ ଆଦି ବିଦେଶରୁ ଆମଦାନୀ ହୋଇପାରୁ ନାହିଁ।

ବିଗତ ଦିନରେ ଆସିଥିବା ଏକ ରିପୋର୍ଟ ଅନୁସାରେ, ଦେଶରେ କୁକିଂ ଗ୍ୟାସ୍‌ ଏବଂ ବିଦ୍ୟୁତ୍‌ ଅଭାବ ଯୋଗୁ ପାଖାପାଖି ୧,୦୦୦ ବେକରୀ ବନ୍ଦ ହୋଇଯାଇଛି। ଯାହା କିଛି ବି ଚାଲୁଛି, ସେଥିରେ ଉତ୍ପାଦନ ଠିକ୍‌ ଢଙ୍ଗରେ ହୋଇ ପାରୁନାହିଁ। ଲୋକଙ୍କୁ ଏକ ବ୍ରେଡ୍‌ ପ୍ୟାକେଟ୍‌ ୦.୭୫ ଡଲାର (୧୫୦)ରେ କିଣିବାକୁ ପଡ଼ୁଛି। କେବଳ ଏତିକି ନୁହେଁ, ୧ କିଲୋଗ୍ରାମ ଚାଉଳ ଏବଂ ଚିନି ଦାମ୍‌ ବି ୨୯୦ ଟଙ୍କା ପର୍ଯ୍ୟନ୍ତ ବଢ଼ି ଯାଇଛି।

Leave A Reply

Your email address will not be published.