କେନ୍ଦ୍ରରେ କାହା ଦଖଲକୁ ଯିବ କ୍ଷମତା ? ଆଜି ନିଷ୍ପତ୍ତି ଜଣାଇବ ଇଭିଏମ୍‌

ନୂଆଦିଲ୍ଲୀ : ଆଜି ଆସିବ ରେଜଲ୍ଟ । ଛଅ ସପ୍ତାହ ଧରି ନିର୍ବାଚନ ପ୍ରକ୍ରିୟା ପରେ ଆଜି ଗଣତିର ଦିନ । ୫୪୩ ଲୋକସଭା ଆସନ ମଧ୍ୟରୁ, ୫୪୨ ଲୋକସଭା ଆସନରେ ହେବ ଗଣତି। ଗୋଟିଏ ଆସନ ସୁରଟରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ବିରୋଧ ଭାବେ ଜିତି ନେଇଛନ୍ତି। ଆଉ କିଛି ସମୟ ପରେ ଅର୍ଥାତ ସକାଳ ୮ଟାରେ ଆରମ୍ଭ ହେବ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ ଏବଂ ଏହା ପରେ ଇଭିଏମ ଗଣତି ଆରମ୍ଭ ହେବ। ଏଥର କିଏ ? ମୋଦି 3.0 ନା କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ। ପୂର୍ଣ୍ଣ ବହୁମତ ସହ ଏନଡିଏ ତାର ଶାସନ କ୍ଷମତା ଜାରି ରଖିବ ନା ଇଣ୍ଡିଆ ମେଣ୍ଟ ଏନଡିଏ ହାତରୁ ସାମ୍ରାଜ୍ୟ ଛଡ଼ାଇ ନେବ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ଲାଗି ସରକାର ଗଠନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟ କ୍ଷମତା ଦଖଲ ଲାଗି ଆଶା ରଖିଛି ।

ଐତିହାସିକ ଲୋକସଭା ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛି ଭାରତ। ପ୍ରାୟ ସମସ୍ତ ସଂସ୍ଥାର ଏଗଜିଟ ପୋଲ୍ ବିଜେପି ନେତୃତ୍ବାଧୀନ ଏନଡିଏ ସପକ୍ଷରେ ଥିଲା। ସବୁ ଏଗଜିଟ ପୋଲ୍ ଆକଳନ କହୁଛି ସ୍ପଷ୍ଟ ବହୁମତ ସହ ଏନଡିଏ ସରକାର ଗଢ଼ିବ। ତେବେ ଜୁନ ୧ ତାରିଖ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ସେହି ସଂଧ୍ୟାରେ ଇଣ୍ଡିଆ ମେଣ୍ଟ କହିଥିଲା ଆମେ ଜିତିବୁ । ୨୯୫ରୁ ଅଧିକ ଆସନ ନେବୁ। ବୁଥ ବାହୁଡ଼ା ମତ ଆସିବା ପରେ ଇଣ୍ଡି ମେଣ୍ଟର ସଦସ୍ୟ ଏହାକୁ ମୋଦି ମିଡିଆ ଏଗଜିଟ୍ ପୋଲ୍ ବୋଲି କହିଥିଲେ ।  ତେବେ ଏଗଜାକ୍ଟ ପୋଲ୍ କଣ ହେବ ଆଜି ଫଳାଫଳ ସହ ପରିଷ୍କାର ହୋଇଯିବ ।  ଦେଶେରେ ଏପ୍ରିଲ ୧୯ ରୁ ଆରମ୍ଭ ହୋଇ ମତଦାନ ପ୍ରକ୍ରିୟା ଜୁନ ୧ ତାରିଖରେ ଶେଷ ହୋଇଥିଲା ।  ପ୍ରାୟ ଦେଢ଼ ମାସ ଧରି ୭ଟି ପର୍ଯ୍ୟାୟରେ ହୋଇଥିଲା ମତଦାନ।

You might also like