ମହାଶିବରାତ୍ରିରେ ଉଜ୍ଜୈନରେ ଜଳିବ ୨୧ ଲକ୍ଷ ମାଟି ଦୀପ! ‘ଗିନିଜ୍‌ ବିଶ୍ୱ ରେକର୍ଡ’ ପାଇଁ କରାଯିବ ପ୍ରୟାସ

ଏଥର ମହାଶିବରାତ୍ରିରେ ଝଲସି ଉଠିବ ମଧ୍ୟପ୍ରଦେଶର ଉଜ୍ଜୈନ ସହର। ‘ଶିବ ଜ୍ୟୋତି ଅର୍ପଣମ୍‌-୨୦୨୩’ କାର୍ଯ୍ୟକ୍ରମ ଅଧୀନରେ ୨୧ ଲକ୍ଷ ମାଟି ଦୀପ ଜଳାଯିବ।

ମଧ୍ୟପ୍ରଦେଶର ଉଜ୍ଜୈନରେ ୧୮ ଫେବୃୟାରୀ ମହାଶିବରାତ୍ରି ଅବସରରେ ୨୧ ଲକ୍ଷ ମାଟି ଦୀପ ଜଳାଯିବ। ‘ଶିବ ଜ୍ୟୋତି ଅର୍ପଣମ୍‌-୨୦୨୩’ କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି ୨୧ ଲକ୍ଷ ଦୀପ ଜାଳିବାକୁ ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଗତ ବର୍ଷ ଉଜ୍ଜୈନରେ ମହାଶିବରାତ୍ରିରେ ୧୧,୭୧,୦୭୮ ମାଟି ଦୀପ ଜଳାଯାଇଥିଲା।

ଅଧିକାରୀମାନେ କହିଛନ୍ତି ଯେ ଏଥର ୨୧ ଲକ୍ଷ ଦୀପ ଜଳାଇ ‘ଗିନିଜ୍‌ ବିଶ୍ୱ ରେକର୍ଡ’ କରିବାକୁ ପ୍ରୟାସ କରାଯିବ। ମହାଶିବରାତ୍ରି ମହୋତ୍ସବ ପ୍ରସ୍ତୁତିର ସମୀକ୍ଷା ବୈଠକ ପରେ ଶନିବାର ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସିଏମ୍‌ କହିଛନ୍ତି, ଉଜ୍ଜୈନରେ ୧୮ ଫେବୃୟାରୀରେ ମହାଶିବରାତ୍ରି ପର୍ବ ଦୀପାବଳି ଉତ୍ସବ ଭଳି ପାଳନ କରାଯିବ।

ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, ‘ମହାଶିବରାତ୍ରିରେ ଉଜ୍ଜୈନ ନିବାସୀ ୨୧ ଲକ୍ଷ ମାଟି ଦୀପ ଜଳାଇ ଭଗବାନ ମହାକାଳଙ୍କ ପ୍ରତି ନିଜର ସମର୍ପଣ ବ୍ୟକ୍ତ କରିବେ। ଏହି ଅଦ୍ଭୁତପୂର୍ବ ଆୟୋଜନ ସମାଜ ଓ ସରକାରଙ୍କ ଭାଗିଦାରୀ ଦ୍ୱାରା ହିଁ ସମ୍ଭବ ହେବ।

ଅଧିକାରୀମାନେ ବୈଠକରେ କହିଛନ୍ତି ଯେ ଉଜ୍ଜୈନରେ ଶିବ ଜ୍ୟୋତି ଅର୍ପଣମ୍‌ କାର୍ଯ୍ୟକ୍ରମ ଅଧୀନରେ ସହରର ମନ୍ଦିର, ବ୍ୟବସାୟିକ ସ୍ଥଳ, ଘର, ନଦୀ କୂଳ ଏବଂ ଗୁରୁତ୍ୱପୂର୍ଣ୍ଣ ଛକ ସ୍ଥାନମାନଙ୍କରେ ଏହି ମାଟି ଦୀପ ଜଳାଯିବ।

ଉଜ୍ଜୈନର ପ୍ରମୁଖ ସ୍ଥାନଗୁଡ଼ିକୁ ବିଦ୍ୟୁତ୍‌ ଏବଂ ରଙ୍ଗୋଲିରେ ସାଜସଜ୍ଜା କରାଯିବ। ଗତବର୍ଷ ମହାଶିବରାତ୍ରିରେ ୧୧,୭୧,୦୭୮ ଦୀପ ଜଳାଯିବା ପରେ ଦୀପାବଳିରେ ଉତ୍ତର ପ୍ରଦେଶର ଅଯୋଧ୍ୟା ସହରରେ ୧୫.୭୬ ଲକ୍ଷ ଦୀପ ଜଳାଇ ବିଶ୍ୱ ରେକର୍ଡ କରାଯାଇଛି।

ଅଧିକାରୀଙ୍କ କହିବା ହେଲା, ଏଥର ମହାଶିବରାତ୍ରିରେ ଉଜ୍ଜୈନରେ ପୂରା କାର୍ଯ୍ୟକ୍ରମ ଜିରୋ େଓ୍ଵଷ୍ଟ୍‍ ସିଦ୍ଧାନ୍ତ ଉପରେ ଆଧାରିତ ହେବ। ଏହି କାର୍ଯ୍ୟକ୍ରମରେ ୨୦,୦୦୦ରୁ ଅଧିକ ସ୍ୱୟଂସେବକ ଭାଗ ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.