ସିକ୍କିମରେ ପ୍ରଳୟଙ୍କରୀ ବନ୍ୟା: ୨୩ ଯବାନଙ୍କ ସମେତ ୧୨୦ ନିଖୋଜ; ୧୪ ମୃତଦେହ ଉଦ୍ଧାର

ସିକିମରେ ବାଦଲଫଟା ବର୍ଷା ଓ ଫ୍ଲାସଫ୍ଲଡରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି । ନିଖୋଜ ହୋଇଛନ୍ତି ୧୨୦ରୁ ଅଧିକ । ଏମାନଙ୍କ ଭିତରେ ଅଛନ୍ତି ସେନାର ୨୩ ଯବାନ । ହଠାତ୍ ପାଣି ମାଡି ଆସିବାରୁ ୨୩ ଯବାନ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଗକୁ ମୃତ୍ୟୁଙ୍କ ସଂଖ୍ୟା ବଢ଼ିପାରେ ।

ନୂଆଦିଲ୍ଲୀ (କେନ୍ୟୁଜ): ପାହାଡି ରାଜ୍ୟ ସିକିମରେ ବାଦଲଫଟା ବର୍ଷା ଓ ଫ୍ଲାସଫ୍ଲଡରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି । ନିଖୋଜ ହୋଇଛନ୍ତି ୧୨୦ରୁ ଅଧିକ । ଏମାନଙ୍କ ଭିତରେ ଅଛନ୍ତି ସେନାର ୨୩ ଯବାନ । ହଠାତ୍ ପାଣି ମାଡି ଆସିବାରୁ ୨୩ ଯବାନ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଗକୁ ମୃତ୍ୟୁଙ୍କ ସଂଖ୍ୟା ବଢ଼ିପାରେ । ନିଖୋଜଙ୍କୁ ଖୋଜିବା ଅଭିଯାନ ଜାରି ରହିଛି । ଉତ୍ତର ସିକିମର ଲୋନକ ହ୍ରଦ ଉପରେ ହୋଇଥିଲା ବାଦଲଫଟା ବର୍ଷା । ଏହାପରେ ଲାଚେନ୍ ଉପତ୍ୟକାରେ ଥିବା ତୀସ୍ତା ନଦୀ ଜଳସ୍ତର ଅଚାନକ ପ୍ରାୟ ୨୦ ଫୁଟ ବଢ଼ି ଯାଇଥିଲା ।

ସେହିପରି ଚୁଙ୍ଗଥାଙ୍ଗ ଡ୍ୟାମରୁ ଛାଡ଼ି ଦିଆଯାଇଥିଲା ପାଣି । ଫଳରେ ଏଭଳି ଭୟଙ୍କର ଫ୍ଲାସଫ୍ଲଡ ହେଲା । ତୀସ୍ତା ନଦୀର ପାଣି ସୁଅ ଧୋଇ ନେଇଛି ଅନେକ ରାସ୍ତାଘାଟ ଓ ବ୍ରିଜ । ୮ରୁ ଅଧିକ ପୋଲ ଭାସି ଯାଇଛି । ଧୋଇଯାଇଛି ସିକ୍କିମ-ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥ । ସେହିପରି ରାଜଧାନୀ ଗ୍ୟାଙ୍ଗଟକ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟାରେ ୩ଟି ଜିଲ୍ଲା ଉତ୍ତର ସିକିମର ମଙ୍ଗନ ଓ ପୂର୍ବ ସିକିମର ପାକୟୋଙ୍ଗ ଓ ଗ୍ୟାଙ୍ଗଟକ୍ ପ୍ରବଳ କ୍ଷତିଗ୍ରସ୍ତ ହୋଇଛି । ଫ୍ଲାସଫ୍ଲଡର ପ୍ରଭାବିତ ହୋଇଛନ୍ତି ୧୫ ହଜାରରୁ ଅଧିକ ଲୋକ ।

ମୁଖ୍ୟମନ୍ତ୍ରୀ ପି ଏସ୍‌ ତମଙ୍ଗ ସିଙ୍ଗତମ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସେ ମଧ୍ୟ ସିଙ୍ଗତମ ନଗର ପଞ୍ଚାୟତ ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି ଏବଂ ସେମାନଙ୍କୁ ସତର୍କତା ଅବଲମ୍ବନ କରିବାପାଇଁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସିକ୍କିମ ସରକାର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛନ୍ତି ଏବଂ ଲୋକମାନଙ୍କୁ ତିସ୍ତା ନଦୀ ନିକଟରୁ ଦୂରେଇ ରହିବାପାଇଁ କହିଛନ୍ତି। ଏଥିସହିତ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜୋରସୋରରେ ଚାଲିଛି ଉଦ୍ଧାର ଓ ରିଲିଫ କାମ ।