ଉତ୍ତର ପ୍ରଦେଶର ମଥୁରା ନିକଟରେ ଏକ ମାଲବାହୀ ଟ୍ରେନ୍ର ୨୫ଟି ବଗି ଲାଇନ୍ଚ୍ୟୁତ ହୋଇଛି । ଟ୍ରେନ୍ର ଅନେକ ୱାଗନ୍ ପରସ୍ପର ସହ ଧକ୍କା ହୋଇ କ୍ଷତିଗ୍ରସ୍ତ ହୋଇଛି । ଏହି କାରଣରୁ ମଥୁରା ପଲୱାଲ ରେଳପଥ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । ଏହି ରୁଟ୍କୁ ସଫା କରାଯାଉଛି । ଜେଣ୍ଟ ଥାନା ଅଞ୍ଚଳରେ ବୁଧବାର ରାତି ପ୍ରାୟ ୯ଟା ୩୦ରେ ଏହି ଦୁର୍ଘଟଣା ଘଟିଛି ।
ଟ୍ରେନ୍ ଲାଇନ୍ଚ୍ୟୁତ ହେବା କାରଣରୁ ଦିଲ୍ଲୀ ଆଡ଼କୁ ଯାଇଥିବା ଟ୍ରାକ୍ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୧୫ରୁ ଅଧିକ ଟ୍ରେନ୍ ପ୍ରଭାବିତ ହୋଇଛି । ସୂଚନା ମୁତାବକ, ବୃନ୍ଦାବନ ରୋଡ୍ ଷ୍ଟେସନଠାରୁ ୮୦୦ ମିଟର ଆଗରେ ମାଲବାହୀ ଟ୍ରେନ୍ଟି ଟ୍ରାକ୍ରୁ ଖସିପଡ଼ିଥିଲା । ଟ୍ରେନ୍ କୋଇଲା ବୋଝେଇ କରି ଦିଲ୍ଲୀ ଆଡକୁ ଯାଉଥିଲା । କୁହାଯାଉଛି ଯେ ଟ୍ରେନ୍ର ପାଖାପାଖି ୨୫ଟି ବଗି ଡିରେଲ୍ ହୋଇଛି । ଦୁର୍ଘଟଣା ପରେ ରେଳଧାରଣା ସାରା କୋଇଲା ବିଛେଇ ହୋଇ ପଡ଼ିଛି ।
ସୂଚନା ରହିଛି ଯେ ମଥୁରାରେ ସୁରତଗଡ଼ ପାୱାର ପ୍ଲାଣ୍ଟ ପାଇଁ ଏହି ମାଲବାହୀ ଟ୍ରେନ୍ କୋଇଲା ପରିବହନ କରୁଥିଲା । ବୃନ୍ଦାବନ ନିକଟରେ ୨୫ଟି ବଗି ଟ୍ରାକ୍ରୁ ଖସି ଯାଇଥିଲା । ଏହି ଦୁର୍ଘଟଣା ଯୋଗୁ ତିନୋଟି ରେଳ ଲାଇନରେ ଯାତାୟାତ ବନ୍ଦ ହୋଇଯାଇଛି । ତେବେ ଟ୍ରେନ୍ ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।