ଜୁନ୍‌ ୨୫ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣା କଲେ କେନ୍ଦ୍ର ସରକାର, ଏହି ଦିନ ଦେଶରେ ଲାଗୁ ହୋଇଥିଲା ଏମରଜେନ୍ସି

କେନ୍ଦ୍ର ସରକାର ଜୁନ୍‌ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣା କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ବିଜ୍ଞପ୍ତି ଜାରି କରିଛି । ୧୯୭୫ ଜୁନ୍‌ ୨୫ରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏବେ ଏହି ଦିନକୁ ମନେ ରଖିବା ପାଇଁ କେନ୍ଦ୍ର ସରକାର ସମ୍ବିଧାନ ହତ୍ୟା ଦିବସ ଘୋଷଣା କରିଛନ୍ତି ।

ଗୃହମନ୍ତ୍ରୀ ଅମିତ୍‌ ଶାହ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି । ସେ ନିଜ ପୋଷ୍ଟ ଲେଖିଛନ୍ତି ଯେ ‘୧୯୭୫ ଜୁନ୍‌ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦ ମାନସିକତାର ପରିଚୟ ଦେଇ ଦେଶ ଉପରେ ଏମରଜେନ୍ସି ଥୋପି ଦେଇଥିଲେ ଏବଂ ଆମ ଗଣତନ୍ତ୍ରର ଆତ୍ମାର ଗଳାକୁ ଚିପି ଦେଇଥିଲେ । ଲକ୍ଷ ଲକ୍ଷ ଲୋକଙ୍କୁ ବିନା କାରଣରେ ଜେଲ୍‌ ପଠାଇ ଦିଆଯାଇଥିଲା ଏବଂ ଗଣମାଧ୍ୟମର ସ୍ୱରକୁ ଚାପି ଦିଆଯାଇଥିଲା । ଭାରତ ସରକାର ପ୍ରତିବର୍ଷ ଜୁନ୍‌ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ୧୯୭୫ ଏମରଜେନ୍ସିର ଅମାନବୀୟ ଯନ୍ତ୍ରଣାକୁ ସହ୍ୟ କରିଥିଲେ, ସେହି ସମସ୍ତ ଲୋକଙ୍କ ମହାନ ଯୋଗଦାନକୁ ଏହି ଦିନ ମନେ ପକାଇବ’ ।

କହି ରଖୁଛୁ, ଆହ୍ଲାବାଦ ହାଇକୋର୍ଟଙ୍କର ଏକ ନିଷ୍ପତ୍ତି ପରେ ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଘୋଷଣା କରାଯାଇଥିଲା । ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ହାଇକୋର୍ଟ ୧୯୭୫ ଜୁନ୍ ୧୨ରେ ରାୟ ଦେଇଥିଲେ । ହାଇକୋର୍ଟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରାଏବରେଲି ନିର୍ବାଚନକୁ ବାତିଲ କରିଦେଇଥିଲେ ଏବଂ ଆଗାମୀ ୬ ବର୍ଷ ପାଇଁ ତାଙ୍କ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା । ଏହା ପରେ ଇନ୍ଦିରା ଗାନ୍ଧୀଙ୍କ ଇସ୍ତଫା ଦାବି ଆରମ୍ଭ ହୋଇଥିଲା ଏବଂ ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ହେବାକୁ ଲାଗିଥିଲା । ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ ବଳବତ୍ତର ରଖିଥିଲେ, ଯାହାପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ।

You might also like