ଚାକିରିର ପ୍ରଥମ ଦିନ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲେ ୨୬ ବର୍ଷୀୟ ଆଇପିଏସ୍ ଅଧିକାରୀ
ଅଧା ରହିଗଲା ସ୍ୱପ୍ନ । ଡ୍ୟୁଟିରେ ଯୋଗଦେବା ପୂର୍ବରୁ ବାଟରେ ଚାଲିଗଲା ଜୀବନ । ଚାକିରିର ପ୍ରଥମ ଦିନ ଯୋଗ ଦେବାକୁ ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ୨୬ ବର୍ଷୀୟ ଆଇପିଏସ୍ ଅଧିକାରୀ ହର୍ଷ ବର୍ଦ୍ଧନ । ଏହି ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ।
କର୍ଣ୍ଣାଟକ କ୍ୟାଡରର ୨୦୨୩ ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ ହର୍ଷ ବର୍ଦ୍ଧନ । ମଧ୍ୟପ୍ରଦେଶ ସିଙ୍ଗରୌଲି ଜିଲ୍ଲାର ନିବାସୀ ହର୍ଷ ବର୍ଦ୍ଧନଙ୍କ ଗାଡ଼ି କର୍ଣ୍ଣାଟକର ହାସନ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ରବିବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା । ହାସନର କିଟ୍ଟାନେ ଗାଁ ନିକଟରେ ଆଇପିଏସ୍ ଅଧିକାରୀଙ୍କ ଗାଡ଼ିର ଚକ ଫାଟି ଯାଇଥିଲା । ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ଏହା ରାସ୍ତାପାର୍ଶ୍ଵ ଘର ଏବଂ ଗଛ ସହ ପିଟି ହୋଇଯାଇଥିଲା ।
ପୋଲିସ ସୂଚନା ମୁତାବକ, ହର୍ଷ ବର୍ଦ୍ଧନ ହୋଲେନରାସିପୁରରେ ପ୍ରୋବେସନାରୀ ଆସିଷ୍ଟାଣ୍ଟ ପୋଲିସ ଅଧୀକ୍ଷକ ରୂପେ ଡ୍ୟୁଟିରେ ଯୋଗଦେବା ପାଇଁ ହାସନ ଯାଉଥିଲେ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ହର୍ଷ ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ଗାଡ଼ି ଡ୍ରାଇଭରଙ୍କୁ ସାମାନ୍ୟ ଆଘାତ ଲାଗିଛି ।
ସୂଚନା ମୁତାବକ, ଆଇପିଏସ୍ ଅଧିକାରୀ ଜଣକ ନିକଟରେ ମୈସୁରରେ କର୍ଣ୍ଣାଟକ ପୋଲିସ ଏକାଡେମୀରେ ନିଜର ୪ ସପ୍ତାହର ଟ୍ରେନିଂ ଶେଷ କରିଥିଲେ । ତାଙ୍କୁ ହାସନ ଜିଲ୍ଲାରେ ଏଏସପି ରୂପେ ନିଯୁକ୍ତି ମିଳିଥିଲା । ତାଙ୍କ ବାପା ଜଣେ ଉପ-ବିଭାଗୀୟ ମାଜିଷ୍ଟ୍ରେଟ୍ ।
ସେପଟେ ହର୍ଷ ବର୍ଦ୍ଧନଙ୍କ ମୃତ୍ୟୁରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି ।