ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା ବିଷୟରେ ସୂଚନା ଦେଇଛି । ଡବ୍ଲୁଏଚଓ ଜଣାଇଛି ଯେ ପ୍ରତିବର୍ଷ ଏହା ବଢ଼ି ବଢ଼ି ଚାଲିଛି । ଆହୁରି ମଧ୍ୟ ସୂଚନା ମିଳିଛି ଯେ ସାରା ଦୁନିଆରେ ପ୍ରାୟ ୨୦ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଉଛି । ଯେଉଁମାନେ ମଦ ପିଇ ଗାଡି ଚଲାଉଛନ୍ତି, ମଦ କାରଣରୁ ହେଉଥିବା ହିଂସା ଏବଂ ଦୁର୍ବ୍ୟବହାର କରୁଛନ୍ତି ତଥା ଏହା ପାଇଁ ଅନେକ ପ୍ରକାର ରୋଗକୁ ବି ସାମ୍ନା କରୁଛନ୍ତି ଲୋକେ ।

ରିପୋର୍ଟରେ କୁହାଯାଇଛି ଯେ ୨୦୧୯ରେ ମଦ୍ୟପାନ କରି ୨.୬ ମିଲିୟନ୍‌ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ଏହି ମୃତ୍ୟୁ ସଂଖ୍ୟାରେ ପ୍ରାୟ ତିନି ଚତୁର୍ଥାଂଶ ଭାଗ ମୃତ୍ୟୁ ପୁରୁଷଙ୍କର ହୋଇଛି । ଡବ୍ଲୁଏଚଓ ଜଣାଇଛି ଯେ ୨୦୧୯ରେ ଏହି ମଦ୍ୟପାନ କାରଣରୁ ହେଉଥିବା ମୃତ୍ୟୁର ସବୁଠାରୁ ଅଧିକ ଅନୁପାତ ୧୩ ପ୍ରତିଶତ । ଯେଉଁଥିରେ ୨୦ ରୁ ୩୯ ବର୍ଷ ବୟସର ଲୋକାମାନେ ଅଧିକ ରହିଛନ୍ତି । ମଦ ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି ଯେଉଁଥିରେ ଯକୃତ ସିରୋସିସ୍‌ ଏବଂ କିଛି କ୍ୟାନ୍ସର ମଧ୍ୟ ସାମିଲ ରହିଛି । ତେଣୁ ଏହି ରିପୋର୍ଟ ସେୟାର କରି ଡବ୍ଲୁଏଚଓ ଲୋକମାନଙ୍କୁ ସଚେତନ କରାଇଦେଇଛି ।